ମେହବୁବା, ଓମାର ଗିରଫ, ୩୭୧ ଉପରେ ନଜର

ଶ୍ରୀନଗର : ଗତ ରାତିଠାରୁ ଗୃହବନ୍ଦୀ ଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ଓମାର ଅବଦୁଲ୍ଲା ଆଜି ଗିରଫ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ ସେମାନଙ୍କୁ ଗିରଫ କରାଯାଇଛି। ମୁଫ୍‌ତିଙ୍କୁ ତାଙ୍କ ବାସଭବନରୁ ନିଆଯାଇ ଏକ ଭିଭିଆଇପି ଗେଷ୍ଟ୍‌ ହାଉସ୍‌ରେ ରଖାଯାଇଛି। ‌ତେବେ ମୁଫ୍‌ତି ଏବଂ ଓମାରଙ୍କ ଗିରଫଜନିତ କାରଣ ବିଷୟରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ଉଭୟ ମୁଫ୍‌ତି ଏବଂ ଓମାର ସରକାରଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆଜି ମୁଫ୍‌ତି ଟ୍ବିଟ୍‌ କରି କହିଛନ୍ତି ଯେ କଶ୍ମୀର ଲୋକମାନଙ୍କୁ ପ୍ରତାରଣା କରାଯାଇଛି। ଏହା ଭାରତୀୟ ଗଣତନ୍ତ୍ରରେ ଏକ କଳା ଦିବସ। ଅନ୍ୟପକ୍ଷେ ଅବଦୁଲ୍ଲା ସରକାରଙ୍କ ପଦକ୍ଷେପକୁ କୋର୍ଟରେ ଚ୍ୟାଲେଂଜ କରିବେ ବୋଲି କହିଛନ୍ତି।

୩୭୧ ଉପରେ ନଜର

ନୂଆଦିଲ୍ଲୀ : ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ଏବେ ସମ୍ବିଧାନ ବିଶେଷଜ୍ଞ ଏବଂ ରାଜନୈତିକ ନେତାଙ୍କ ନଜର‌ ଧାରା ୩୭୧ ଉପରେ ରହିଛି। ଧାରା ୩୭୧ ଦ୍ବାରା ଅନ୍ୟ କେତେକ ରାଜ୍ୟ, ବିଶେଷକରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଧାରା ୩୭୧ ଏ ନାଗାଲାଣ୍ଡ ପାଇଁ ପ୍ରଯୁଜ୍ୟ। ଏହି ଧାରା ଅନୁଯାୟୀ, ନାଗାମାନଙ୍କ ଧାର୍ମିକ କିମ୍ବା ସାମାଜିକ ଅଭ୍ୟାସ ସମ୍ପର୍କରେ ପାର୍ଲାମେଣ୍ଟର କୌଣସି ଆଇନ ନାଗାଲାଣ୍ଡରେ କାର୍ଯ୍ୟକାରୀ ହେବନାହିଁ। ଧାରା ୩୭୧-ଏରେ ଏହା ମଧ୍ୟ କୁହାଯାଇଛି, ରାଜ୍ୟରେ ଜମି ଏବଂ ଏହାର ସମ୍ବଳ ଲୋକଙ୍କର, ସରକାରଙ୍କର ନୁହେଁ। ସେହିଭଳି ଧାରା ୩୭୧-ଜି ମଧ୍ୟ ମିଜୋରାମବାସୀଙ୍କୁ ନାଗାଲାଣ୍ଡ ଭଳି ସମାନ ଅଧିକାର ପ୍ରଦାନ କରିଛି। ସେହିଭଳି ୩୭୧-ବି ଆସାମବାସୀଙ୍କୁ ସ୍ବତନ୍ତ୍ର ସୁବିଧାସୁଯୋଗ ଦେଉଥିବାବେଳେ ଧାରା ୩୭୧-ସି ମଣିପୁର ପାଇଁ ଲାଗୁ ହୋଇଛି। ଧାରା ୩୭୧ ଏଫ୍‌ ଏବଂ ୩୭୧ ଏଚ୍ ସିକିମ୍ ଓ ଅରୁଣାଚଳ ପ୍ରଦେଶ ପାଇଁ ଲାଗୁ ହୋଇଛି। ଧାରା ୩୭୧ରେ ମହାରାଷ୍ଟ୍ରର ବିଦର୍ଭ, ମରାଠାୱାଡ଼ା ଏବଂ ଅବଶିଷ୍ଟ ଅଞ୍ଚଳ ପାଇଁ, ଗୁଜରାଟର ସୌରାଷ୍ଟ୍ର, କଚ୍ଚ ଏବଂ ଅବଶିଷ୍ଟ ଅଞ୍ଚଳ ପାଇଁ ପୃଥକ୍ ବିକାଶ ବୋର୍ଡ ଗଠନ ପାଇଁ କ୍ଷମତା ପ୍ରଦାନ କରାଯାଇଛି। ସେହିଭଳି ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୋଆ ପାଇଁ ଯଥାକ୍ରମେ ଧାରା ୩୭୧-ଡି, ୩୭୧-ଇ ଏବଂ ୩୭୧ ଜେ ଭଳି ଧାରା ଯଥାକ୍ରମ‌େ ରହିଛି।

ସମ୍ବନ୍ଧିତ ଖବର