ମେହବୁବାଙ୍କ ସହ ଝିଅକୁ ସାକ୍ଷାତ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସହ ତାଙ୍କ ଝିଅଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମୁଫ୍‌ତି ଯେଉଁ ସ୍ଥାନରେ ଗୃହବନ୍ଦୀ ଅଛନ୍ତି ସେଠାକୁ ଯାଇ ତାଙ୍ଗ ଝିଅ ଇଲ୍‌ତିଜା ତାଙ୍କ ସହ ସାକ୍ଷାତ କରିପାରିବେ। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଇଲ୍‌ତିଜାଙ୍କ ଆବେଦନର ଶୁଣାଣି କରି ତାଙ୍କୁ ତାଙ୍କ ମା’ଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି। ଇଲ୍‌ତିଜା ଏବେ ଚେନ୍ନାଇରେ ଅଛନ୍ତି ଏବଂ ତାଙ୍କ ମା’ଙ୍କୁ ସାକ୍ଷାତ କରିବାପାଇଁ ଶ୍ରୀନଗର ଯିବାରେ କିଛି ଅସୁବିଧା ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଶ୍ରୀନଗରରେ ଅନ୍ୟ ସ୍ଥାନମାନଙ୍କ‌ରେ ବୁଲାବୁଲି କରିବାପାଇଁ ଇଲ୍‌ତିଜାଙ୍କୁ ଜିଲ୍ଲା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର ଦିନକ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତିଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ମା’ଙ୍କୁ ଭେଟିବାର ଅନୁମତି ନପାଇବାରୁ ଇଲ୍‌ତିଜା ସୁପ୍ରିମକୋର୍ଟରେ ଆ‌ାବେଦନ କରିଥିଲେ।

ସମ୍ବନ୍ଧିତ ଖବର