ମୁଫ୍‌ତିଙ୍କ ଅଟକ ସମୟ ୩ ମାସ ବଢ଼ିଲା

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକ ସମୟ ୩ ମାସ ବଢ଼ାଇ ଦିଆଯାଇଛି। ପିଡିପି ମୁଖ୍ୟ ମେହବୁବା ଏବେ ପିଏସ୍‌ଏ ( ଜନ ସୁରକ୍ଷା ଆଇନ) ଅଧୀନରେ ଅଟକ ଥିବାବେଳେ ତାଙ୍କ ଅଟକ ସମୟ ଆସନ୍ତା ଅଗଷ୍ଟ ୫ ତାରିଖ‌ରେ ଶେଷ ହେଉଥିଲା। କିନ୍ତୁ ଏହା ପୂର୍ବରୁ ପୁଣି ଥରେ ତାଙ୍କ ଅଟକ ସମୟକୁ ୩ ମାସ ପାଇଁ ବଢ଼ାଯାଇଛି। ଗତବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ସମୟରେ ମେହବୁବା ପ୍ରଥମେ ଅଟକ ରହିଥିଲେ। ପରେ ଚଳିତ ବର୍ଷ ଫେବ୍ରୁଆରି ୫ରେ ତାଙ୍କ ବି‌ରୋଧରେ ପିଏସ୍‌ଏ ଲାଗୁ କରାଯାଇଥିଲା। ପିଏସ୍‌ଏ ଅଧୀନରେ ସେ ସେବେଠାରୁ ଅଟକ ରହିଛନ୍ତି। ତେବେ ଗୃହ ବିଭାଗ ଦ୍ବ‌‌ାରା ଆଜି ଏକ ନିର୍ଦ୍ଦେଶ ଜାରି କରି ମୁଫ୍‌ତିଙ୍କ ଅଟକ ସମୟକୁ ବୃଦ୍ଧି କରାଯାଇଛି। ମୁଫ୍‌ତିଙ୍କ ସରକାରୀ ବାସଭବନ ଫେୟାରଭିଉ ବଙ୍ଗଳାକୁ ଏକ ଅସ୍ଥାୟୀ ଜେଲ୍‌ ଘୋଷଣା କରାଯାଇଛି ଏବଂ ମୁଫ୍‌ତି ସେଠାରେ ଅଟକ ରହିଛନ୍ତି। ଉଲ୍ଲେଖଯୋଗ୍ୟ ପୂର୍ବରୁ ୮ ମାସ ଦୁଇଟି ଅଟକ କେନ୍ଦ୍ରରେ ରହିବା ପରେ ମୁଫ୍‌ତିଙ୍କୁ ଚଳିତ ଏପ୍ରିଲ ୭ରେ ତାଙ୍କ ଘରକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏହାକୁ ଏକ ଅସ୍ଥାୟୀ ଜେଲ୍‌ରେ ପରିଣତ କରାଯାଇଥିଲା।

ସମ୍ବନ୍ଧିତ ଖବର