ଆତଙ୍କବାଦୀ ୟାସିନ୍‌ ମଲିକ୍‌ଙ୍କୁ ଅପହରଣକାରୀ ବୋଲି ଚିହ୍ନଟ କଲେ ମେହ୍‌ବୁବା ମୁଫ୍‌ତିଙ୍କ ଭଉଣୀ ରୁବୈୟା

ଜମ୍ମୁ: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହ୍‌ବୁବା ମୁଫ୍‌ତିଙ୍କ ଭଉଣୀ ରୁବୈୟା ସୟିଦ୍‌ ‘ଜେକେଏଲ୍‌ଏଫ୍‌’ର ମୁଖ୍ୟ ୟାସିନ୍‌ ମଲିକ୍‌ ଏବଂ ଆଉ ୩ଜଣଙ୍କୁ ତାଙ୍କର ଅପହରଣକାରୀ ବୋଲି ଶୁକ୍ରବାର ଦିନ ଚିହ୍ନଟ କରିଛନ୍ତି।

ସ୍ମରଣଯୋଗ୍ୟ, ୧୯୮୯ ମସିହା ଡିସେମ୍ବର ୮ ତାରିଖ ଦିନ ‘ଲାଲ୍‌ ଡେଡ୍‌ ହସ୍ପିଟାଲ୍‌’ ନିକଟରୁ ରୁବୈୟାଙ୍କୁ ଅପହରଣ କରି ନିଆଯାଇଥିଲା। ରୁବୈୟାଙ୍କ ପ୍ରତିବଦଳରେ ସେ ସମୟରେ ‘ବିଜେପି’ ସମର୍ଥନ ପାଇ କେନ୍ଦ୍ରରେ କ୍ଷମତାସୀନ ଥିବା ଭି.ପି. ସିଂହଙ୍କ ସରକାର ୫ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିଥିଲେ। ଆତଙ୍କବାଦୀଙ୍କ କବଳରୁ ରୁବୈୟାଙ୍କୁ ମୁକ୍ତ କରିବା ଲାଗି ୫ ଦିନ ସମୟ ଲାଗିଥିଲା। ସେତେବେଳେ ରୁବୈୟାଙ୍କ ବାପା ଭି.ପି. ସିଂହଙ୍କ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ।

୧୯୯୦ ମସିହାର ପ୍ରାରମ୍ଭରେ ‘ସିବିଆଇ’ ଏହି ଘଟଣାର ତଦନ୍ତ ଦାୟିତ୍ବ ଗ୍ରହଣ କରିଥିଲା। କିନ୍ତୁ, ଏହି ମାମଲାରେ ପ୍ରଥମ କରି ଶୁକ୍ରବାର ଦିନ ରୁବୈୟା ସୟିଦ୍‌ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତରେ ହାଜର ହୋଇଥିଲେ। ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଅଦାଲତରେ ହାଜର ହୋଇଥିବା ୟାସିନ୍‌ ମଲିକ୍‌ଙ୍କୁ ରୁବୈୟା ତାଙ୍କର ଅପହରଣକାରୀ ବୋଲି ଚିହ୍ନଟ କରିଥିଲେ।

Image Courtesy of DNA

ବିଚାରପତିଙ୍କୁ ରୁବୈୟା କହି‌ଛନ୍ତି, ଏ ହେଉଛନ୍ତି ସେ ବ୍ୟକ୍ତି। ତାଙ୍କ ନାମ ୟାସିନ୍‌ ମଲିକ୍‌। ସେମାନଙ୍କ ଆଦେଶ ନ ମାନିଲେ ମୋତେ ସେ ମିନି ବସ୍‌ରୁ ଟାଣି ବାହାରକୁ ନେଇ ଆସିବେ ବୋଲି ଧମକ ଦେଇଥିଲେ।

ଅଦାଲତରେ ପ୍ରଦର୍ଶିତ ହୋଇଥିବା ଫଟୋଗୁଡ଼ିକରୁ ମଧ୍ୟ ସେ ୟାସିନ୍‌ ମଲିକ୍‌ଙ୍କୁ ଚିହ୍ନଟ କରିଥିଲେ।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଯାବଜ୍ଜୀବନ କାରାଦଣ୍ଡାଦେଶ ପାଇଥିବା ୟାସିନ୍‌ ମଲିକ୍‌ ଉପରୋକ୍ତ ମାମଲାର ୧୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ। ‘ସିବିଆଇ’ ଚାର୍ଜସିଟ୍‌ ଦାଖଲ କରିଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି, ଅଲିମହମଦ୍‌ ମିର୍‌, ମହମଦ୍‌ ଜମନ୍‌ ମିର୍‌, ଇକ୍‌ବାଲ୍‌ ଅହମଦ୍‌ ଗନ୍ଦ୍ରୁ, ଜାୱେଦ୍‌ ଅହମଦ୍‌ ମିର୍‌, ମହମ୍ମଦ୍‌ ରଫିକ୍‌ ପଲ୍‌ହୁ, ମନ୍‌ଜୁର୍‌ ଅହମଦ୍‌ ସୋଫି, ୱାଜାହତ୍‌ ବଶିର୍‌, ମେହ୍‌ରାଜ୍‌-ଉଦ୍‌-ଦିନ୍‌ ଶେଖ୍‌ ଏବଂ ଶୌକତ୍‌ ଅହମଦ୍‌ ବକ୍ସି।

ସମ୍ବନ୍ଧିତ ଖବର