କଂଗ୍ରେସ ଖରାପ ହୋଇଥିଲେ ବି ଦେଶକୁ ସୁରକ୍ଷିତ ରଖିଥିଲା, କିନ୍ତୁ ବିଜେପି ଦେଶକୁ ଭାଙ୍ଗିବାରେ ଲାଗିଛି: ମେହବୁବା

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ ଏହି ଦଳ କେବଳ ଦେଶକୁ ଲଢେ଼ଇବାକୁ ଚାହୁଁଛି। ‘କାଶ୍ମୀର ଫାଇଲସ’ ଚଳଚ୍ଚିତ୍ର ବିଷୟରେ ମେହବୁବା ମୁଫତି କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ଯେତେବେଳେ ପାକିସ୍ତାନ ଯାଇଥିଲେ ସେତେବେଳେ ୭ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା | ମୋ ବାପାଙ୍କ ମାମୁଁ, ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା। ଆମେ ବହୁତ କଷ୍ଟ ସହିଛୁ | କେବଳ ଏତିକି ନୁହେଁ, ମେହବୁବା ମୁଫତି ମଧ୍ୟ ସେନାକୁ ନେଇ ପ୍ରଶ୍ନ ଉଠାଇଥିଲେ |

ସେ କହିଛନ୍ତି ସୁରାନକୋଟରେ ସେନାର ଯବାନମାନେ ଗୋଟିଏ ଘରର ୧୯ ଜଣ ସଦସ୍ୟଙ୍କୁ ମାରିଦେଇଥିଲେ | ଏହା ଏକ ଭୁଲ ଥିଲା | ଆଉ ଭୁଲ ସମସ୍ତଙ୍କ ଦ୍ୱାରା ହୋଇପାରେ | କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମସ୍ତ ସୈନିକ ଭୁଲ୍ କରିଥିଲେ | ମେହବୁବା ମୁଫତି କହିଛନ୍ତି ଯେ ଆମେ ଅନେକ ଖରାପ ସମୟ ଦେଖିଛୁ, କିନ୍ତୁ ରକ୍ତପାତ ବନ୍ଦ ହେଉ ବୋଲି ଚାହୁଁଛୁ। ସେମାନେ(ବିଜେପି) ଚାହୁଁଛନ୍ତି ଯେ ପାକିସ୍ତାନ ସହ ଆମର ଝଗଡା ହେଉ । ମେହବୁବା ମୁଫତି କହିଛନ୍ତି ଯେ ଆଜିର ସରକାର ଚାହୁଁଛନ୍ତି ଯେ ଆମେ ପାକିସ୍ତାନ ସହ ଲଢ଼ିବା ।

କେବଳ ଏତିକି ନୁହେଁ, ସରକାର ଚାଁହୁଛନ୍ତି ଯେ ହିନ୍ଦୁ, ମୁସଲମାନ, ଦଳିତ ଏବଂ ବ୍ରାହ୍ମଣମାନଙ୍କ ମଧ୍ୟରେ ଲଢେଇ ହେଉ | ସେ କହିଛନ୍ତି ଯେ କଂଗ୍ରେସ ଯଦିଓ ୫୦ ବର୍ଷ ଧରି ଭୁଲ କାମ କରିଥାଇପାରେ, କିନ୍ତୁ ସେମାନେ ଦେଶକୁ ସୁରକ୍ଷିତ ରଖିଥିଲେ। କିନ୍ତୁ ଏହି ଲୋକମାନେ ଦେଶ ଭାଙ୍ଗିବାକୁ ଚାହୁଁଛନ୍ତି। ଜିନ୍ନା ଗୋଟିଏ ପାକିସ୍ତାନ ସୃଷ୍ଟି କରିଥିଲେ, କିନ୍ତୁ ବିଜେପି ଲୋକମାନେ ଅନେକ ପାକିସ୍ତାନ ସୃଷ୍ଟି କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର