ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକିଥିବା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ହୀରା ଗହଣା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଶେଷରେ ବେଲ୍‌ଜିୟମ୍‌ରେ ଗିରଫ କରାଯାଇଛି। ଭାରତୀୟ କର୍ତ୍ତୃପକ୍ଷଙ୍କ ପ୍ରତ୍ୟର୍ପଣ ଆବେଦନ ପରେ ଗତ ୧୨ ତାରିଖରେ ବେଲ୍‌ଜିୟମ୍‌ ପୁଲିସ ତାଙ୍କୁ ଗିରଫ କରି ଜେଲ୍‌ରେ ରଖିଛି। ଗିରଫ ପରେ ତାଙ୍କ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରାଯିବ। କର୍କଟ ରୋଗରେ ପୀଡ଼ିତ ମେହୁଲ ଚିକିତ୍ସା ପାଇଁ ବେଲ୍‌ଜିୟମ୍‌ ଆସିଥିଲେ। ସେଠାରେ ସେ ତାଙ୍କ ପତ୍ନୀ ପ୍ରୀତି ‌ଚୋକ୍‌ସିଙ୍କ ସହିତ ରହୁଥିଲେ। ପ୍ରୀତିଙ୍କ ପାଖରେ ବେଲ୍‌ଜିୟମ୍‌ର ନାଗରିକତା ରହିଛି। ଏକ ସୂଚନା ଅନୁଯାୟୀ, ମେହୁଲ ବେଲ୍‌ଜିୟମ୍‌ରୁ ସ୍ବିଜରଲ୍ୟାଣ୍ଡ୍‌କୁ ପଳାଇ ଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଶେଷରେ ତାହା ପଣ୍ଡ ହୋଇଯାଇଛି।

Advertisment

ମେ‌ହୁଲ ଗିରଫ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂତ୍ରରୁ ଜଣାଯାଇଛି। ପିଏନ୍‌ବିର ମୁମ୍ବାଇସ୍ଥିତ ଏକ ଶାଖାରୁ ମେହୁଲ ଓ ତାଙ୍କ ଭଣଜା ନିରବ ମୋଦୀ ଠକେଇ କରିଥିଲେ। ଏହି ଠକେଇ ଘଟଣା ପଦାକୁ ଆସିବା ପୂର୍ବରୁ ୨୦୧୮ ଜାନୁଆରିରେ ସେମାନେ ଭାରତ ଛାଡ଼ି ପଳାଇଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ନିରବ ମୋଦୀ ଲଣ୍ଡନରେ ଗିରଫ ହେବା ସହିତ ସେଠାକାର ଜେଲ୍‌ରେ ଅଛନ୍ତି। ଭାରତ ସରକାର ନିରବ ମୋଦୀଙ୍କୁ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନାହାନ୍ତି। ୬୫ ବର୍ଷୀୟ ମେହୁଲ ଚୋକ୍‌ସି ଗତବର୍ଷ ଠାରୁ ବେଲ୍‌ଜିୟମ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ଇଣ୍ଟରପୋଲ୍‌ ପକ୍ଷରୁ ତାଙ୍କ ବିରୋଧରେ ଜାରି ରେଡ୍‌ ନୋଟିସ୍‌କୁ ହଟାଇ ଦିଆଯିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଅଧିକ ପ୍ରୟାସ କରିଥିଲେ। ମେହୁଲ ଚୋକ୍‌ସି ବେଲ୍‌ଜିୟମ୍‌ରେ ଥିବା ସଂପର୍କରେ ପୂର୍ବରୁ ବେଲ୍‌ଜିୟମ୍‌ ସରକାର ସ୍ପଷ୍ଟ କରିଥିଲେ। ବେଲ୍‌ଜିୟମ୍‌ ସରକାର ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ। ବେଲ୍‌ଜିୟମ୍‌ ପୂର୍ବରୁ ୨୦୧୮ ମସିହାରୁ ସେ ଆଣ୍ଟିଗୁଆରେ ରହୁଥିଲେ। ମେହୁଲଙ୍କ ଓକିଲ ବିଜୟ ଅଗ୍ରୱାଲ ମଧ୍ୟ ତାଙ୍କ ଗିରଫକୁ ସ୍ବୀକାର କରିଛନ୍ତି। ତେବେ ଚିକିତ୍ସା ଚାଲିଥିବା କାରଣରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣକୁ ବିରୋଧ କରାଯିବ ବୋଲି ସେ କହିଛନ୍ତି। ସେ ଅସୁସ୍ଥ ଅଛନ୍ତି। ବିମାନରେ ଫେରାର ହେବାର ବିପଦ ନାହିଁ ବୋଲି ମେହୁଲଙ୍କ ଓକିଲଙ୍କ ପକ୍ଷରୁ ଯୁକ୍ତି ରଖାଯାଇ ପାରେ। ମେହୁଲଙ୍କ ଗିରଫ ଏକ ରାଜନୈତିକ ପ୍ରସଙ୍ଗ ଏବଂ ଭାରତୀୟ ଜେଲ୍‌ଗୁଡ଼ିକର ସ୍ଥିତି ଖରାପ ବୋଲି ଯୁକ୍ତି ରଖାଯିବାର ଜଣାଯାଇଛି। 

ମେହୁଲ ୨୦୨୩ ନଭେମ୍ବର ୧୫ରେ ଏଫ୍‌ ରେସିଡେନ୍ସି କାର୍ଡ ହାସଲ କରିଥିଲେ। ସେ ତାଙ୍କ ପତ୍ନୀଙ୍କ ସହଯୋଗରେ ଏହି କାର୍ଡ ପାଇଥିଲେ। ତେବେ ଏଥିପାଇଁ ନକଲି ଦସ୍ତାବିଜ୍‌ ଦିଆଯାଇଥିବା କେତେକ ରିପୋର୍ଟରେ କୁହାଯାଇଛି। ସେଥିରେ ଆଣ୍ଟିଗୁଆ ଓ ଭାରତର ନାଗରିକତାକୁ ଲୁଚାଯାଇଥିଲା। ଯାହାଫଳରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରିବ ନାହିଁ। ୨୦୧୮ରେ ଭାରତ ଛାଡ଼ିବା ପୂର୍ବରୁ ମେହୁଲ ଆଣ୍ଟିଗୁଆ-ବାର୍ବୁଡ଼ା ନାଗରିକତା ଗ୍ରହଣ କରିଥିଲେ। ପ୍ରତ୍ୟର୍ପଣ ପାଇଁ ଅନୁରୋଧରେ ଭାରତୀୟ କର୍ତ୍ତୃପକ୍ଷ ମେହୁଲଙ୍କ ନାମରେ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ୨୦୧୮ ଏବଂ ୨୦୨୧ରେ ଦୁଇଟି ଏନ୍‌ବିଡବ୍ଲୁ ଜାରି କରିଥିବା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ବେଲ୍‌ଜିୟମ୍‌୍‌ରେ ଗିରଫ ପୂର୍ବରୁ ମେହୁଲଙ୍କୁ ୨୦୨୧ରେ ଡୋମିନିକାରେ ବେଆଇନ ପ୍ରବେଶ କାରଣରୁ ଧରାଯାଇଥିଲା। ସେହି ସମୟରେ ସିବିଆଇ ତାଙ୍କୁ ଭାରତ ଆଣିବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ସେତେବେଳେ ସେଠାକାର ଅଦାଲତ ତାଙ୍କୁ ଚିକିତ୍ସା ପାଇଁ ଆଣ୍ଟିଗୁଆ ପଠାଇବାକୁ ନିର୍ଦ୍ଦେଶ ଦେବା ପରେ ଭାରତ ଆଣିବା ଆଉ ସମ୍ଭବ ହୋଇ ନଥିଲା।