ନୂଆଦିଲ୍ଲୀ: ଭାରତ ଆସିବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକିଥିବା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ହୀରା ଗହଣା ବ୍ୟବସାୟୀ ମେହୁଲ ଚୋକ୍‌ସି। ମେହୁଲଙ୍କୁ ଦେଶକୁ ଆଣିବା ପାଇଁ ବେଲଜିୟମରୁ ପ୍ରତ୍ୟର୍ପଣ କରିବାକୁ ଭାରତ ଅନୁରୋଧ କରିଛି। ଭାରତ ଆସିବା ପରେ ତାଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ୨୪ ଘଣ୍ଟା ଚିକିତ୍ସା ସୁବିଧା ଏବଂ ସଫା ପରିମଳ ସ୍ଥାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଭାରତ।

Advertisment

୬୬ ବର୍ଷୀୟ ଚୋକସିଙ୍କୁ ଏପ୍ରିଲ ମାସରେ ବେଲଜିୟମର ଏଣ୍ଟୱର୍ପରୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଦେଶକୁ ଫେରାଇବା ଆଣିବା ପାଇଁ ଭାରତ ସରକାର ଆବେଦନ କରିଥିଲେ । ଏହା ପରେ ତାଙ୍କ ଓକିଲମାନେ ଦାବି କରିଥିଲେ ଯେ, ମେହୁଲଙ୍କର କର୍କଟ ସମେତ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଅଛି। ତେଣୁ ତାଙ୍କୁ ହେପାଜତରେ ରଖିବା କଷ୍ଟକର ହୋଇପାରେ।

ଏହାର ଜବାବରେ ଗୃହ ମନ୍ତ୍ରାଳୟ କହିଛି ଯେ, ଚୋକସିଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲର ୧୨ ନମ୍ବର ବାରାକରେ ରଖାଯିବ। ଜେଲରେ ତାଙ୍କୁ ଉଚ୍ଚ‌ା ଗଦି, ନରମ ତକିଆ, ବେଡସିଟ୍ ଏବଂ କମ୍ବଳ ଦିଆଯିବ। ଡାକ୍ତରୀ ଆବଶ୍ୟକ ହେଲେ କାଠ ବିଛଣା ମଧ୍ୟ ଯୋଗାଇ ଦିଆଯାଇପାରିବ। ମୁମ୍ବାଇର ଜଳବାୟୁ ଗରମ ଏବଂ ଆର୍ଦ୍ର, ତେଣୁ କୋଠରୀକୁ ଗରମ କରିବାର କୌଣସି ଆବଶ୍ୟକତା ନାହିଁ। ଦିନକୁ ତିନିଥର ଖାଦ୍ୟ ଯୋଗାଇ ଦିଆଯିବ ଏବଂ ଡାକ୍ତରୀ କ୍ଲିୟରାନ୍ସ ପରେ ସ୍ୱତନ୍ତ୍ର ଖାଦ୍ୟ ଆବଶ୍ୟକତା ପୂରଣ କରାଯିବ। ଜେଲ୍ କ୍ୟାଣ୍ଟିନ୍‌ରେ ଫଳ ଏବଂ ଖାଦ୍ୟ ଉପଲବ୍ଧ। ଏଠାରେ ପ୍ରତିଦିନ ଖୋଲା ସ୍ଥାନରେ ବ୍ୟାୟାମ ସୁବିଧା ଏବଂ ଘର ଭିତରେ ବ୍ୟାଡମିଣ୍ଟନ୍, ଯୋଗ, ଧ୍ୟାନ, ପଢ଼ିବା ପାଇଁ ପାଠାଗାର ଏବଂ ଅଧ୍ୟୟନ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି। ଜେଲ୍ ହସ୍ପିଟାଲରେ ୬ଜଣ ଡାକ୍ତରୀ ଅଧିକାରୀ, ନର୍ସିଂ ଷ୍ଟାଫ୍, ଫାର୍ମାସିଷ୍ଟ ଏବଂ ଲ୍ୟାବ୍ ଆସିଷ୍ଟାଣ୍ଟ ରହିଛନ୍ତି। ୨୦ଶଯ୍ୟା ବିଶିଷ୍ଟ ଏକ ସମ୍ପୂର୍ଣ୍ଣ ସଜ୍ଜିତ ଚିକିତ୍ସା ସୁବିଧା ଅଛି। ଆବଶ୍ୟକ ହେଲେ, ନିକଟସ୍ଥ ସରକାରୀ ହସ୍ପିଟାଲର ଜଣେ ବିଶେଷଜ୍ଞ ଡାକ୍ତର ଚୋକସିଙ୍କ ଚିକିତ୍ସା କରିବେ। 

ଏହି ସମସ୍ତ ବିବରଣୀ ବେଲଜିୟମ କୋର୍ଟକୁ ଦେଇଛି ଭାରତ। ଅତୀତରେ ଜେଲ୍‌ର ଅବସ୍ଥା ଭଲ ନଥିବା କହି ବ୍ରିଟିଶ କୋର୍ଟଗୁଡ଼ିକ ପ୍ରତ୍ୟର୍ପଣ ଆବେଦନକୁ ଖାରଜ କରିଛନ୍ତି। କିଛି ଦିନ ତଳେ ବିଦେଶୀ ଅଧିକାରୀମାନେ ତିହାର ଜେଲ ପରିଦର୍ଶନ କରି କଏଦୀମାନଙ୍କର ସୁରକ୍ଷା ବ୍ୟବସ୍ଥା, ଖାଦ୍ୟ ଏବଂ ଜୀବନଯାପନର ସମୀକ୍ଷା କରିଥିଲେ। ଏବେ ଆର୍ଥର ରୋଡ୍‌ ଜେଲ୍‌ ବିଷୟରେ ବେଲଜିୟମ କୋର୍ଟକୁ ସବିଶେଷ ବିବରଣୀ ଦିଆଯିବା ପରେ କୋର୍ଟ ଚୋକ୍‌ସିଙ୍କ ପ୍ରତ୍ୟର୍ପଣକୁ ଅନୁମତି ଦେଉଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି।