ମେହୁଲ ଚୋକସୀ ଆଣ୍ଟିଗୁଆରେ ଅଛି, ଇଣ୍ଟରପୋଲର ସୂଚନା

ନୂଆଦିଲ୍ଲୀ : ଭାରତରୁ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀ ଆମେରିକା ବାଟ ଦେଇ କାରିବିୟ ଦେଶ ଆଣ୍ଟିଗୁଆକୁ ପଳାଇଯାଇଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି । ତା’ ବିରୋଧରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବାବେଳେ ଆଣ୍ଟିଗୁଆ ସରକାର ଇଣ୍ଟରପୋଲକୁ ସୂଚନା ଦେଇଛନ୍ତି ଯେ ସେ ଚଳିତ ମାସରେ ସେଠାରେ ପହଞ୍ଚିଛି  ଓ ତା’ ପାଖରେ ଆଣ୍ଟିଗୁଆର ପାସପୋର୍ଟ ଅଛି ।

ଚୋକସୀ ଓ ତା’ ଭଣଜା ନିରବ ମୋଦି ପ୍ରାୟ ୧୩ ହଜାର କୋଟି ଟଙ୍କାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ଦୁଇ ମୁଖ୍ୟ ଅଭିଯୁକ୍ତ । ଗତ ଜାନୁଆରୀ ମାସରୁ ହିଁ ଚୋକସୀ ଭାରତକୁ ପଳାଇଯାଇଥିବା ଅନୁମାନ କରାଯାଉଛି । ତାଙ୍କୁ ଏବେ ଉଭୟ ସିବିଆଇ ଓ ଇଡି ଖୋଜୁଛି ।  ଗତ ଜୁଲାଇ ୨ ତାରିଖରେ ନିରବ ମୋଦିଙ୍କୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଥିଲା । ଅନ୍ୟପକ୍ଷରେ  ୧୩,୫୦୦ ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ସହ ଅଭିଯୁକ୍ତ ମେହୁଲ ଚୋକସୀ ଆମେରିକାରେ ନାହିଁ ବୋଲି ଇଣ୍ଟରପୋଲ ପୂର୍ବରୁ କହିଥିଲା । ତେବେ ଚୋକସୀର ଅବସ୍ଥିତି ଠାବ କରିବାକୁ ସିବିଆଇ ପକ୍ଷରୁ ଇଣ୍ଟରପୋଲକୁ ଅନୁରୋଧ କରାଯାଇଥିଲା । ଏହାର ଜବାବରେ ଇଣ୍ଟରପୋଲ ଉପରୋକ୍ତ ସୂଚନା ଦେଇଛି । ଇଡି ପକ୍ଷରୁ କିଛି ମାସ ତଳେ ନିରବ ଓ ମେହୁଲଙ୍କ ବିରୋଧରେ ଫ୍ୟୁଜିଟିଭ ଇକନମିକ ଅଫେଣ୍ଡର୍ସ ଅର୍ଡିନାନ୍ସ ଅଧିନରେ ଅଭିଯୁକ୍ତ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର