ମେହୁଲ ଚୋକସି ଉପରୁ ରେଡକର୍ଣ୍ଣର ନୋଟିସ ହଟାଇଲା ଇଣ୍ଟରପୋଲ୍, ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବିରୋଧରେ ଥିବା ରେଡ୍ କର୍ଣ୍ଣର ନୋଟିସକୁ ଅନ୍ତର୍ଜାତୀୟ ଅପରାଧିକ ପୁଲିସ ସଂଗଠନ ବା ଇଣ୍ଟରପୋଲ୍ ହଟାଇ ଦେଇଛି । ଏହାର ଅର୍ଥ ହେଉଛି ଚୋକସି ଏବେ ଇଣ୍ଟରପୋଲର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ନାହିଁ ଓ ସେ ନିଜ ଇଚ୍ଛା ଅନୁସାରେ ସାରା ବିଶ୍ବରେ ଯାତାୟାତ କରିପାରିବ ।

୨୦୧୮ ଡିସେମ୍ବରରେ ମେହୁଲ ଚୋକସି ନାଁରେ ରେଡ୍ କର୍ଣ୍ଣର ନୋଟିସ ଜାରି କରାଯାଇଥିଲା । ଇଣ୍ଟରପୋଲର ୱାଣ୍ଟେଡ୍ ଲିଷ୍ଟରୁ ଚୋକ୍ସିଙ୍କ ନାମ ହଟାଇବାକୁ ଭାରତ ସରକାର ତୀବ୍ର ବିରୋଧ କରିଥିଲେ ମଧ୍ୟ ବିଶ୍ୱ ସ୍ତରୀୟ ନୀତି ସଂସ୍ଥା ଏଥିରେ ରାଜି ହୋଇନଥିଲା ।

ନିକଟରେ ମେହୁଲ ଚୋକସି ଆଣ୍ଟିଗୁଆ କୋର୍ଟରେ ଏକ ପିଟିସନ ଦାଖଲ କରି ଭାରତ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲା । ଆବେଦନରେ ଦର୍ଶାଯାଇଛି ଯେ ଜୁନ୍ ୨୦୨୧ରେ ଦୁଇ ଜଣ ଭାରତୀୟ ଏଜେଣ୍ଟ ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ଜୋରଜବରଦସ୍ତ ଡୋମିନିକା ରିପବ୍ଲିକକୁ ନେଇଯାଇଥିଲେ । ଇଣ୍ଟରପୋଲ୍ ନିଜ ଆଦେଶରେ କହିଛି ଯେ ଏହା ବିଶ୍ବାସଯୋଗ୍ୟ ଯେ ଆଣ୍ଟିଗୁଆରୁ ଡୋମିନିକାକୁ ଆବେଦନକାରୀଙ୍କୁ ଅପହରଣ କରିବାର ଚରମ ଉଦ୍ଦେଶ୍ୟ  ହେଉଛି ଆବେଦନକାରୀଙ୍କୁ ଭାରତ ପ୍ରତ୍ୟର୍ପଣ କରିବା । ଇଣ୍ଟରପୋଲ୍ କହିଛି ଯେ ମେହୁଲ ଚୋକସି ଭାରତ ଫେରିବା ପରେ ନିରପେକ୍ଷ ନ୍ୟାୟ ପାଇବାର ଆଶଙ୍କା ରହିଛି ।

ଚୋକସି ଗତ ବର୍ଷ ଆଣ୍ଟିଗୁଆ ଏବଂ ବାରବୁଡାରୁ ଅପହରଣ ହୋଇଥିବା ଅଭିଯୋଗ କରି ତାଙ୍କ ରେଡ୍ ନୋଟିସର ସମୀକ୍ଷା କରିବା ପାଇଁ ଇଣ୍ଟରପୋଲର ଦ୍ୱାରସ୍ଥ ହୋଇଥିଲା ।

ସମ୍ବନ୍ଧିତ ଖବର