ୱାସିଂଟନ: ଗତ ସପ୍ତାହରେ ଆମେରିକାର ସଂସଦ ଭବନରେ ଘଟିଥିବା ହିଂସାକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଟ୍ରମ୍ପଙ୍କ ସମର୍ଥକମାନେ ଏହି ହିଂସା ଭିଆଇବା ପଛରେ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କର ହାତ ରହିଛି ବୋଲି କୁହାଯାଉଛି। ଆମେରିକା ଗଣତନ୍ତ୍ରରେ ଘଟିଥିବା ଏହି ଅବିସ୍ମରଣୀୟ ଘଟଣାକୁ ନେଇ ଆମେରିକାରେ ଅସନ୍ତୋଷର ନିଆଁ ଜଳୁଛି। ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବିଦା କରିବା ପାଇଁ ଉଦ୍ୟମ ‌ଚାଲିଛି। ଏଭଳି ମୁହୁର୍ତ୍ତରେ ଆଜି ମେଲାନିଆ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ମୁଖ୍ୟତଃ ଗୋଟିଏ ପଟେ ଘଟିଯାଇଥିବା ହିଂସା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପଟେ ନିଜକୁ ଜଣେ ରାଷ୍ଟ୍ରନୀତିଜ୍ଞର ପରିଚୟ ଦେବାକୁ ଉଦ୍ୟମ କରି ଆମେରିକାର ମହାନତା କଥା ବଖାଣିଛନ୍ତି। ଚିଠିରେ ମେଲାନିଆ ଗତବର୍ଷଠାରୁ ଦେଶରେ କରୋନା ଘଟାଇ ଚାଲିଥିବା କ୍ଷତିଠାରୁ ତାଙ୍କ କଥା ଆରମ୍ଭ କରିଛନ୍ତି। ଏହା ପରେ ଗତ ସପ୍ତାହରେ ଘଟିଥିବା କ୍ୟାପିଟଲ ବିଲଡିଂ ହିଂସା କଥା ଲେଖିଛନ୍ତି। ହିଂସାରେ ପ୍ରାଣ ହରାଇଥିବା ଆସ୍‌ଲି ବବିଟ୍‌, ବେଞ୍ଜାମିନ୍ ଫିଲିପ୍ସ, କେଭିନ୍ ଗ୍ରିସନ, ରୋଜାନି ବୟଲ୍ୟାଣ୍ଡ, ଏବଂ କ୍ୟାପିଟଲ ପୁଲିସ ଅଧିକାରୀ ବ୍ରିୟାନ ସିକ୍‌ନିକ୍‌ ପ୍ରମୁଖଙ୍କ ପରିବାରର ସୁଖ ଏବଂ ସମୃଦ୍ଧି ପାଇଁ ସେ ଏହି ଚିଠିରେ ପ୍ରାର୍ଥନା କରିଛନ୍ତି।

Advertisment

‘ଫାଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ: ଆୱାର ପାଥ୍‌ ଫରୱାର୍ଡ’ ବା ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ: ଆମର ଭବିଷ୍ୟତର ପଥ ଶୀର୍ଷକରେ ଏହି ଲେଖା ସେ ଲେଖିଛନ୍ତି। ସେ କହିଛନ୍ତି ଗତ ସପ୍ତାହରେ ଯାହା ଘଟିଲା ‌ତାହା ମୋତେ ନିରାଶ ଏବଂ ବ୍ୟଥିତ କରିଛି। ଏହି ଦୁଃଖଦ ଘଟଣାକୁ ନେଇ ଯେଉଁସବୁ ଚର୍ଚ୍ଚା, ଭିତ୍ତିହୀନ ଗପ, ଅବାଞ୍ଛିତ ବ୍ୟକ୍ତିଗତ ଆକ୍ରମଣ, ମିଥ୍ୟା ଓ ଭ୍ରମିତ ଅଭିଯୋଗ ମୋ ବିରୋଧରେ କରାଯାଉଛି ତାହା ତାଙ୍କୁ ନିରାଶ ଏବଂ ବ୍ୟଥିତ କରିଛି। ବ୍ୟକ୍ତିଗତ ଏଜେଣ୍ଡା ସହିତ ପ୍ରାସଙ୍ଗିକ ହୋଇ ରହିବା ପାଇଁ ଚାହୁଥିବା ବ୍ୟକ୍ତିମାନେ ଏଭଳି ଆକ୍ରମଣ ତାଙ୍କ ବିରୋଧରେ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନର ଏକମାତ୍ର କାମ ହେଲା ଆମେରିକା ଏବଂ ଆମେରିକୀୟମାନଙ୍କୁ ପହଞ୍ଚିଥିବା କ୍ଷତକୁ ଶୁଖାଇବା। ଆମ ଦେଶ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରିବା ଆବଶ୍ୟକ। କୌଣସି ପ୍ରକାର ତ୍ରୁଟି ଏ ନେଇ ହେବା ଅନାବଶ୍ୟକ। ମୁଁ ସଂପୂର୍ଣ୍ଣ ଭାବରେ ହିଂସାକୁ ନିନ୍ଦା କରୁଛି। ହିଂସା କଦାପି ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଅନେକ ବ୍ୟକ୍ତି ଆଗ୍ରହ ଦେଖାଇଥାନ୍ତି। କିନ୍ତୁ ସେହି ଉତ୍ସାହ ହିଂସାରେ ପରିଣତ କରିବାକୁ ସୁଯୋଗ ଦିଆଯିବା ଉଚିତ ନୁହେଁ। ଆମ ପାଇଁ ଭବିଷ୍ୟତର ମାର୍ଗ ହେଲା ଏକାଠି ହେବା, ସାମଞ୍ଜସ୍ୟକୁ ଖୋଜି ବାହାର କରିବା, ଦୟାଳୁ ଏବଂ ଦୃଢ଼ ହେବା। ଆମେରିକାର ପ୍ରଥମ ମହିଳାଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ଗତ ୪ ବର୍ଷ ଧରି ଟ୍ରମ୍ପଙ୍କୁ ସମର୍ଥନ ଜଣାଇଥିବାରୁ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।