ସୋମବାର ରାଜ୍ୟସଭାରେ ଅନୁପସ୍ଥିତ ସଦସ୍ୟଙ୍କ ଉପରେ ପ୍ରଧାନମନ୍ତ୍ରୀ ଖପ୍ପା, ଅନୁପସ୍ଥିତ ନେତାଙ୍କ ତାଲିକା ମଗାଇଲେ

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଅନୁପସ୍ଥିତ ଥିବା ସଦସ୍ୟମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖପ୍ପା ହୋଇଛନ୍ତି। ଯେଉଁମାନେ ଅନୁପସ୍ଥିତ ଥିଲେ ସେମାନଙ୍କ ତାଲିକା ମାଗିଛନ୍ତି ପ୍ରଧାନମନ୍ତ୍ରୀ। ସୋମବାର ପାର୍ଲିଆମେଣ୍ଟରେ କେତେଗୁଡ଼ିଏ ବିଲ୍‌ ପାରିତ ହୋଇଥିବାବେଳେ ବିଜେପି ସାଂସଦମା‌ନେ ଅନୁପସ୍ଥିତ ଥିଲେ। ମଙ୍ଗଳବାର ଓ ବୁଧବାର ଗୃହରେ ପାରିତ ହେବାକୁ ଥିବା ମହତ୍ତ୍ବପୂର୍ଣ୍ଣ ବିଧେୟକ ସମ୍ପର୍କରେ ଆଲୋଚନା ପାଇଁ ବିଜେପି ପକ୍ଷରୁ ଗତକାଲି ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଆସିବାକୁ ଆଦେଶ ଦିଆଯାଇଥିଲା। ହେଲେ ସପ୍ତାହାନ୍ତ ଭାବି ଅନେକ ଅନୁପସ୍ଥିତ ଥିବାରୁ ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟୋକିଓ ଅଲମ୍ପିକରେ ଭାରତର ରେକର୍ଡ ଆଜି ବୈଠକର ପ୍ରମୁଖ ବିଷୟବସ୍ତୁ ଥିଲା।

ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଭାରତର ୭ ଜଣ ଅଲମ୍ପିକ ବିଜେତାଙ୍କୁ ଉତ୍ସାହପୂର୍ଣ୍ଣ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ସାଂସଦ ଟିମ୍‌ର ସଦସ୍ୟମାନଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ବିଶେଷକରି ଗ୍ରାମାଞ୍ଚଳରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁସ୍ଥ ବାଳକ ଓ ବାଳିକାଙ୍କ ମଧ୍ୟରେ ପ୍ରତି‌ଯୋଗିତା କରିବା ପାଇଁ ପ୍ରଧାନମନ୍ତ୍ରୀ ସୁପାରିଶ କରିଛନ୍ତି। ଦେଶର ପ୍ରତ୍ୟେକ ଗରିବ ପରିବାର ଆୟୁ‌ଷ୍ମାନ ଭାରତ ଗୋଲ୍‌ଡେନ କାର୍ଡ ଉପଭୋକ୍ତା ହେବେ। ଏହାଦ୍ବାରା ସେମାନେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ସେହିଭଳି ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରତି କୃଷକ ପରିବାର ଉପକୃତ ହୋଇପାରିବେ। ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ କହିଲେ ଖେଳାଳିମାନେ ସ୍କୁଲ ଯିବା ଦରକାର ନାହିଁ। ଏହି ବିଚାର ଭୁଲ୍‌ ଅଟେ। ଏହା ଥିଲା ଚଳିତ ମୌସୁମୀ ଅଧିବେଶନର ଶେଷ ବୈଠକ। ଅଲମ୍ପିକରେ ମେଡାଲ ଜିତିବା ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ଯୋଶୀ କହିଛନ୍ତି।

ସମ୍ବନ୍ଧିତ ଖବର