କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକା ଡ୍ରୋନ ଆକ୍ରମଣ କରି ଆଲକାଇଦା ମୁଖ୍ୟ ଅୟମନ ଅଲ ଜବାହିରିକୁ ହତ୍ୟା କରାଯିବା ଘଟଣାରେ ଆଉ କେତେକ ତଥ୍ୟ ଜଣାପଡ଼ିଛି । ଏହି ଆକ୍ରମଣରେ କେବଳ ଜବାହିରି ମୃତ୍ୟୁବରଣ କରିଥିବା ଆମେରିକା କହୁଥିବାବେଳେ ଆଫଗାନିସ୍ଥାନର ଜଣେ ବରିଷ୍ଠ କୂଟନିତିଜ୍ଞ ଏକ ନୂଆ ତଥ୍ୟ ଦେଇଛନ୍ତି ।

Advertisment

କାଜିଖସ୍ଥାନରେ ଅବସ୍ଥାପିତ ଆଫଗାନ ଦୂତ ମହମ୍ମଦ ଜାହିର ଅଘବର କହିଛନ୍ତି ଯେ ଜବାହିରି ଯେଉଁ ଘରେ ରହୁଥିଲା ସେଠାରେ ତାଲିବାନ ସରକାରରେ ମନ୍ତ୍ରୀ ଥିବା ତଥା ଜଲାଲୁଦ୍ଦିନଙ୍କ ପୁଅ ସିରାଜୁଦ୍ଦିନ ହକାନିଙ୍କ ପରିବାରର  କେତେକ ସଦସ୍ୟ ରହୁଥିଲେ । ଆମେରିକା ଆକ୍ରମଣରେ ଉକ୍ତ ପରିବାରର କିଛି ସଦସ୍ୟ ପ୍ରାଣ ହରାଇଛନ୍ତି ।

ହକାନି ନେଟଓ୍ବାର୍କ ହେଉଛି ଜାତିସଂଘ ଦ୍ବାରା ନିଷିଦ୍ଧ ଘୋଷିତ ଏକ ଆତଙ୍କବାଦୀ ସଂଗଠନ । ଏହାକୁ ଜଲାଲୁଦ୍ଦିନ ହକାନି ପ୍ରତିଷ୍ଠା କରିଥିଲେ । ସୋଭିଏତ ବିରୋଧୀ ଯୁଦ୍ଧରେ ଏହି ସଂଗଠନ ଭାଗ ନେଇଥିଲା । ପରେ ତାଲିବାନ ସହ ମିଶି ଏହା ଆମେରିକା ବିରୋଧରେ ବି ଲଢିଥିଲା । ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଏହି ନେଟଓ୍ବାର୍କକୁ କେତେକ ପ୍ରଭାବଶା​ଳୀ ପଦ ମିଳିଥିଲା ।  ସିରାଜୁଦ୍ଦିନ ହକାନି ଏବେ ତାଲିବାନ ସରକାରରେ ଉପମୁଖ୍ୟ ତଥା ଗୃହ ମନ୍ତ୍ରୀ ଅଛନ୍ତି । ତେବେ ସିରାଜୁଦ୍ଦିନ ଏହି ଘରେ ରହୁନଥିଲେ । ସେ କାବୁଲର ଏକ ଗୋପନ ତଥା ସୁରକ୍ଷିତ ସ୍ଥାନରେ ରହୁଛନ୍ତି ।