ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରି ଇତିହାସ ସୃଷ୍ଟି କରିଛି। ସମସ୍ତେ ଏହାର ସଫଳତାକୁ ନେଇ ଆହ୍ଲାଦିତ ଓ ପ୍ରଶଂସାମୁଖର କିନ୍ତୁ ଏହା ପଛରେ ଯେଉଁମାନଙ୍କ ଅବଦାନ ରହିଛି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ସେମାନଙ୍କର ତ୍ୟାଗ, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ହେତୁ ଭାରତ ଆଜି ଏହି ସଫଳତା ହାସଲ କରିପାରିଛି। ସେମାନେ ହେଉଛନ୍ତି:
୧. ଏସ୍ ସୋମନାଥ, ଇସ୍ରୋ ଅଧ୍ୟକ୍ଷ
ଚନ୍ଦ୍ରଯାନ-୩ ପଛରେ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିତ୍ବ ହେଉଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ। ଗତବର୍ଷ ସେ ଇସ୍ରୋର ମୁଖ୍ୟ ପଦ ଅଳଂକୃତ କରିବା ପରଠାରୁ ଚନ୍ଦ୍ରଯାନ-୩ ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଥିଲେ। ଚନ୍ଦ୍ରଯାନ-୩ ଛଡ଼ା ଇସ୍ରୋର ଅନ୍ୟ ଅଭିଯାନ ଗଗନଯାନ (ଭାରତର ପ୍ରଥମ ମାନବଯୁକ୍ତ ମିସନ) ଏବଂ ଆଦିତ୍ୟ-ଏଲ୍୧ (ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ମିସନ) ଲାଗି ମଧ୍ୟ ତାଙ୍କର ଅବଦାନ ରହିଛି। ଏହା ପୂର୍ବରୁ ସେ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସ୍ଏସ୍ସି) ଏବଂ ଲିକ୍ବିଡ୍ ପ୍ରପଲ୍ସନ ସିଷ୍ଟମ୍ସ ସେଣ୍ଟର୍ର ନିର୍ଦ୍ଦେଶକ ଥିଲେ।
୨. ପି ବୀରମୁଥୁଭେଲ, ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ
ପି ବୀରମୁଥୁଭେଲ ୨୦୧୯ରୁ ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ରହି ଆସିଛନ୍ତି। ଚନ୍ଦ୍ରଯାନ-୨ ମିସନରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାଡ୍ରାସ ଆଇଆଇଟିର ଛାତ୍ର ତଥା ତାମିଲନାଡ଼ୁର ବାସିନ୍ଦା ବୀରମୁଥୁଭେଲ ଗତ ଚାରିବର୍ଷ ହେଲା ଚନ୍ଦ୍ରଯାନ-୩ ପାଇଁ କଠିନ ପରିଶ୍ରମ କରିଆସୁଛନ୍ତି।
୩. ଏସ୍ ଉନ୍ନିକୃଷ୍ଣନ ନାୟାର, ଭିଏସ୍ଏସ୍ସିର ନିର୍ଦ୍ଦେଶକ
ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରର ନିର୍ଦ୍ଦେଶକ ଏସ୍ ଉନ୍ନିକୃଷ୍ଣନ ନାୟାର ଓ ତାଙ୍କ ଟିମ୍ ମହତ୍ତ୍ବାକାଂକ୍ଷୀ ଚନ୍ଦ୍ରଯାନ-୩ ମିସନ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ସେମାନେ ଜିଓସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ଭେହିକ୍ଲ (ଜିଏସ୍ଏଲ୍ଭି) ମାର୍କ-୩ ନିର୍ମାଣ କରିଥିଲେ, ଯାହାକୁ ବର୍ତ୍ତମାନ ଲଞ୍ଚ ଭେହିକ୍ଲ ମାର୍କ-୩ ବୋଲି କୁହାଯାଉଛି।
୪. ଏମ୍ ଶଙ୍କରନ, ୟୁଆର୍ ରାଓ ସାଟେଲାଇଟ୍ କେନ୍ଦ୍ରର ନିର୍ଦ୍ଦେଶକ
୨୦୨୧ରୁ ୟୁରୋ ସାଟେଲାଇଟ୍ସ କେନ୍ଦ୍ର (ୟୁଆର୍ଏସ୍ସି)ର ନିର୍ଦ୍ଦେଶକ ଥିବା ଏମ୍ ଶଙ୍କରନ ଓ ତାଙ୍କ ଦଳ ଇସ୍ରୋ ପାଇଁ ଭାରତର ସାଟେଲାଇଟ୍ଗୁଡ଼ିକର ଡିଜାଇନ ଓ ନିର୍ମାଣ କରିଥାନ୍ତି।
୫. ମୋହନ୍ନା କୁମାର, ମିସନ ନିର୍ଦ୍ଦେଶକ
ଏଲ୍ଭିଏମ୍୩-ଏମ୍୪/ଚନ୍ଦ୍ରଯାନ-୩ର ମିସନ ନିର୍ଦ୍ଦେଶକ ହେଉଛନ୍ତି ମୋହନ୍ନା କୁମର। ପୂର୍ବରୁ ସେ ୱାନ୍ ୱେବ୍ ଇଣ୍ଡିଆ ୨ ସାଟେଲଇଟ୍ର ବାଣିଜ୍ୟିକ ଉତ୍କ୍ଷେପଣରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
୬. ଏ ରାଜରାଜନ, ଲଞ୍ଚ ଅଥରାଇଜେସନ ବୋର୍ଡର ମୁଖ୍ୟ
ଏ ରାଜରାଜନ ହେଉଛନ୍ତି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର, ଶାର୍ର ନିର୍ଦ୍ଦେଶକ। ଲଞ୍ଚ ପରିସରର ସଲିଡ ମଟର ପ୍ରଡକ୍ସନ ଓ ଭିତ୍ତିଭୂମିର ସଫଳତା ପାଇଁ ସେ ଦାୟୀ।