ଅନ୍ଧବିଶ୍ବାସ: ତେଲେଙ୍ଗାନା ଗାଁରେ ମାନସିକ ରୋଗୀଙ୍କୁ ଲୁହା ଚେନ୍‌ରେ ବନ୍ଧାଯାଉଛି

ହାଇଦ୍ରାବାଦ : ତେଲେଙ୍ଗାନାର ମଥ୍ୟୁମପେଟା ଓ ଆଖପାଖ ଗାଁରେ ଏକ ଅନ୍ଧବିଶ୍ବାସ ରହିଛି ଯେ ମାନସିକ ରୋଗୀମାନଙ୍କୁ ଲୁହା ଚେନ୍‌ରେ ବାନ୍ଧି ରଖିଲେ ସେମାନେ ଭଲ ହୋଇଯିବେ। ଏହି ବିଶ୍ବାସକୁ ନେଇ ସେମାନେ ଏପରି ରୋଗୀମାନଙ୍କର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ ବା ଚିକିତ୍ସା କରାନ୍ତି ନାହିଁ। ଲୋକଙ୍କ ବିଶ୍ବାସ ଅନୁସାରେ ମାନସିକ ଅସୁସ୍ଥତା କେବଳ କୋଣ୍ଡାଗାଟ୍ଟୁ ଆଞ୍ଜନେୟ ସ୍ବାମୀ ମନ୍ଦିରରେ ଭଲ ହୋଇପାରିବ, ଯଦି ରୋଗୀଙ୍କୁ ମନ୍ଦିର ପରିସରରେ, ମନ୍ଦିର ଭିତରେ ବା ବାହାରେ ୨୦ରୁ ୪୦ ଦିନ ଯାଏ ଲୁହା ଚେନ୍‌ରେ ବାନ୍ଧି ରଖାଯାଏ।

ଏପରି ଅନ୍ଧବିଶ୍ବାସ ଫଳରେ ବହୁଲୋକ ତାହା ହିଁ କରୁଛନ୍ତି। ଏହାଦ୍ବାରା ରୋଗୀମାନଙ୍କର ଉଭୟ ଶାରୀରିକ ଓ ମାନସିକ ଅବସ୍ଥା ଆହୁରି ଖରାପ ହୋଇଯାଉଛି। ଏହା ଅନେକ ମାନସିକ ରୋଗୀଙ୍କୁ ପରେ ଭିକାରିରେ ପରିଣତ କରିଦେଇଛି। କେତେକ ବିରଳ ଘଟଣାରେ ଯତ୍ନ ଅଭାବରୁ ଲୋକର ମୃତ୍ୟୁ ବି ଘଟିଛି। ଦୁଃଖର ବିଷୟ, ଅନେକ ଛୋଟ ପିଲାଙ୍କୁ ବି ସମାନ ଦଶାର ଶିକାର ହେବାକୁ ପଡ଼ୁଛି। ପିଲାଙ୍କୁ ସମ୍ପର୍କୀୟମାନେ ଛାଡ଼ିଦେଇ ଚାଲିଯିବା ପରେ ସେମାନଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ଆଉ ନେଉନାହାନ୍ତି। ଫଳରେ ସେମାନେ ବାପାମାଆ ଥାଇ ବି ଅନାଥ ହୋଇଯାଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନବୀନ ନାମକ ଗୋଟିଏ ପିଲାକୁ ଆଦିଲାବାଦ ଜିଲ୍ଲାର ରାଜୁରା ଗାଁରୁ ଆଣି ମନ୍ଦିର ବେଢ଼ାରେ ଗୋଡ଼କୁ ଲୁହା ଚେନ୍‌ରେ ବାନ୍ଧି ସମ୍ପର୍କୀୟମାନେ ଚାଲିଗଲେ। ଗାଁ ସରପଞ୍ଚ ତିରୁପତି ରେଡ୍ଡୀଙ୍କ କହିବା ଅନୁସାରେ ଏହି କାରଣରୁ ଅନ୍ୟୂନ ତିନିଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଗାଁ କମିଟି ପକ୍ଷରୁ ସେମାନଙ୍କ ଶବଦାହ କରାଯାଇଛି। ପୂର୍ବତନ ଜିଲ୍ଲାପାଳ ସୁମିତା ଦୌରାଙ୍କ କହିବା ଅନୁସାରେ ସେ ଅନେକ ଲୋକ ମନ୍ଦିର ଆଗରେ ଗଛରେ ବନ୍ଧା ହୋଇଥିବାର ଦେଖି ସେମାନଙ୍କୁ ମାନସିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହାପରେ ସେଠାରେ ମାନସିକ ରୋଗୀ ବନ୍ଧା ହେବା ସଂଖ୍ୟା କମିଯାଇଥିଲା। ତଥାପି ଲୋକଙ୍କ ମନରୁ ଆଜିଯାଏ ଅନ୍ଧବିଶ୍ବାସ ଦୂର ହୋଇ ନାହିଁ।

ସମ୍ବନ୍ଧିତ ଖବର