ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ମାନସିକ ଲ‌ଢ଼େଇ: ବିଜୟ ଦାବି କଲେ ଏନ୍‌ଡିଏ ଓ ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ‌ଶେଷ ହୋଇଛି। ଆଉ ୨ଟି ପର୍ଯ୍ୟାୟ ବାକି ଅଛି ଏବଂ ଜୁନ୍‌ ୧ରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଯିବ। ଏବେ ଷଷ୍ଠ ପର୍ଯ୍ୟାୟ ପୂର୍ବରୁ ଏନ୍‌ଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ମାନସିକ ଲଢ଼େଇ ଆରମ୍ଭ ହୋଇଯାଇଛି। କର୍ମୀମାନଙ୍କ ମନୋବଳ ବଢ଼ାଇବାକୁ ଉଭୟ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତି ସାରିଥିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦାବି କରିଛନ୍ତି ଯେ ଏନଡିଏ ୩୧୦ ଆସନ‌ରେ ଜିତି ସ‌ାରିଛି। ଅନ୍ୟପ‌କ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଇଣ୍ଡି ମେଣ୍ଟ ୩୦୦ରୁ ଅଧିକ ଆସନରେ ଜିତି ସରକାର ଗଠନ କରିବ। ଶାହ ଦୁଇ ଦିନ ଧରି ବିଭିନ୍ନ ରାଲିରେ ଏଭଳି ଦାବି କରିଥିବା ବେଳେ କେଜ୍ରିୱାଲ ଏକ ଡିଜିଟାଲ୍‌ ଉଦବୋଧନ ଦେଇ ଇଣ୍ଡି ମେଣ୍ଟର ବିଶାଳ ବିଜୟ ଆକଳନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଶାହ ଦାବି କରିଛନ୍ତି ଯେ ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ଶେଷ ହେବାପରେ ଏନଡିଏ ୩୧୦ ଆସନରେ ଜିତିଛି । ଆମେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ୪୦୦ରୁ ଅଧିକ ଆସନରେ ଜିତିବୁ ବୋଲି ଶାହ ଦାବି କରିଛନ୍ତି। ତେବେ ଶାହ ବିଜେପି କେତେ ଆସନ ପାଇବ ସେ ନେଇ କିଛି କହିନାହାନ୍ତି। ଅନ୍ୟପକ୍ଷେ କେଜ୍ରିୱାଲ କହିଛନ୍ତି, ଇଣ୍ଡି ମେଣ୍ଟ ୩୦୦ରୁ ଅଧିକ ଆସନରେ ଜିତିବ ଏବଂ ଜୁନ୍‌ ୪ ତାରିଖରେ ସରକାର ଗଠନ କରିବ। କିଛିଦିନ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ବିଜେପିର ଆସନ ସଂଖ୍ୟା ୨୦୦କୁ ଖସିଯିବ । ଅନ୍ୟପକ୍ଷେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ବିଜେପିର ସଂଖ୍ୟା ୧୮୦କୁ ଖସିଯିବ। ‌‌ସେ ପରେ କହିଥିଲେ ଯେ ବିଜେପି ପାଇଁ ୧୫୦ ଅତିକ୍ରମ କରିବା ବି କଷ୍ଟଦାୟକ ହୋଇଯିବ। ସମାଜବାଦୀ ପାର୍ଟି ମଧ୍ୟ ଦାବି କରିଛି ଯେ ବିଜେପି ୧୪୦ରୁ ଅଧିକ ଆସନ ଜିତିବ ନାହିଁ। ୫ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଦାବି କରିଛନ୍ତି ଯେ ବିଜେପି ଦକ୍ଷିଣରେ ପୂରା ସଫା ହୋଇଯିବ । ସେ କହିଛନ୍ତି, ଇଣ୍ଡି ମେଣ୍ଟ ୩୫୦ରୁ ଅଧିକ ହାସଲ ହାସଲ କରିବାକୁ ଯାଉଛି। ଅନ୍ୟପକ୍ଷରେ ବିଜେପି ନେତାମାନେ ଏନ୍‌ଡିଏ ‘୪୦୦ ପାର୍‌’ଲକ୍ଷ୍ୟର ନିକଟତର ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର