ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବର ଅତିଥିମାନଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ‘ଶାହୀ ଦାଓ୍ଵତ୍‌’ରେ କରାଯିବ ଆପ୍ୟାୟିତ

ବ୍ୟଞ୍ଜନରେ ସାମିଲ ଅଛି ରାଷ୍ଟ୍ରପତି ଭବନର ‘ସିଗ୍‌ନେଚର୍‌ ଡିସ୍‌’; ‘ଡାଲ୍‌ ରାଇସିନା’

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ପାଇଁ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନୂଆଦିଲ୍ଲୀର ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ବ୍ୟାପକ ଆୟୋଜନ ଓ ପ୍ରସ୍ତୁତି କରାଯାଇଛି। ୩୦ ତାରିଖ, ଗୁରୁବାର ସନ୍ଧ୍ୟା ୭ଟା’ରେ ଆୟୋଜିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ରାତ୍ରି ଭୋଜନରେ ଆପ୍ୟାୟିତ କରାଯିବା ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ‘ଶାହୀ ଦାଓ୍ଵତ୍‌’ର ମଧ୍ୟ ବନ୍ଦୋବସ୍ତ କରାଯାଇଛି।

ET Times

ମୋଦି ଓ ତାଙ୍କ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବକୁ ଚାକ୍ଷୁସ କରିବା ପାଇଁ ଦେଶ ତଥା ବିଦେଶରୁ ପ୍ରାୟ ୬ ହଜାରରୁ ଅଧିକ ‘ହାଇ- ପ୍ରୋଫାଇଲ୍‌’ ଅତିଥି ରାଷ୍ଟ୍ରପତି ଭବନରେ ଏକତ୍ରିତ ହେବେ ବୋଲି ଆକଳନ କରାଯାଉଛି। ରାତ୍ରି ଭୋଜନ ପୂର୍ବରୁ ଅର୍ଥାତ୍‌ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ପୂର୍ବରୁ ଆସିଥିବା ଅତିଥିମାନଙ୍କୁ ‘ହାଇ-ଟି’ ପ୍ରଦାନ କରାଯିବ। ଏଥିରେ ଚା’, କଫି, ଲେମ୍ବୁ ସରବତ୍‌ ଠାରୁ ଆରମ୍ଭ କରି ନିରାମିଷ ଓ ଆମିଷରେ ଅନେକ ପ୍ରକାରର ଜଳଖିଆ ରହିଛି। ନିରାମିଷରେ ବିଭିନ୍ନ ପ୍ରକାରର ସିଙ୍ଗଡ଼ା ଓ ପକୋଡ଼ା ରହିଥିବା ବେଳେ ଆମିଷରେ ବିଭିନ୍ନ କିସମର କଟ୍‌ଲେଟ୍‌ ସହ ପକୋଡ଼ା ରହିଛି। ଆଉ ମିଠାରେ ରହିଛି ରାଜଭୋଗ।

ET Times

ସେହିପରି ଶପଥ ଗ୍ରହଣ ସମାରୋହ ଶେଷ ହେବା ପରେ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ରାତ୍ରି ଭୋଜନରେ ଆୟୋଜନ କରାଯାଇଛି ‘ଶାହୀ ଦାଓ୍ଵତ୍‌’ର ବ୍ୟବସ୍ଥା। ଏଥିରେ ରାଷ୍ଟ୍ରପତି ଭବନର ଖାସ୍‌ ରାନ୍ଧୁଣିଆମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଉଭୟ ଆମିଷ ଓ ନିରାମିଷର ଏକାଧିକ ବ୍ୟଞ୍ଜନ ରହିଥିବା ବେଳେ; ‘ଶାହୀ ଦାଓ୍ଵତ୍‌’ର ଖାସ୍‌ ବ୍ୟଞ୍ଜନ ରହିଛି ରାଷ୍ଟ୍ରପତି ଭବନର ‘ସିଗ୍‌ନେଚର୍‌ ଡିସ୍‌’ ରୂପେ ଖ୍ୟାତ ‘ଡାଲ୍‌ ରାଇସିନା’। ଏବଂ ଏହି ଖାସ୍‌ ବ୍ୟଞ୍ଜନ ‘ଡାଲ ରାଇସିନା’ର ପ୍ରସ୍ତୁତି ଏବେ ରାଷ୍ଟ୍ରପତି ଭବନର ଖାସ୍‌ ରାନ୍ଧୁଣିଆମାନଙ୍କ ଦ୍ୱାରା ଏବେ ପୂରାଦମ୍‌ରେ ଚାଲିଛି। କାରଣ ଏହି ସ୍ୱତନ୍ତ୍ର ବ୍ୟଞ୍ଜନର ପ୍ରସ୍ତୁତି ନିମନ୍ତେ ୪୮ ଘଣ୍ଟାରୁ ଅଧିକ ସମୟର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର