କେରଳ ବନ୍ୟା: ବଜେଟ୍‌କୁ ଟପିବ କ୍ଷତି

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷା ଓ ବନ୍ୟା ଯୋଗୁ ୨୦,୦୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଆକଳନ କରାଯାଇଛି। କିନ୍ତୁ ବିଭିନ୍ନ ଥଇଥାନ କାର୍ଯ୍ୟ ପରେ ଏହି କ୍ଷତି ପରିମାଣ ବୃଦ୍ଧି ପାଇବ ଏବଂ ଏହା ରାଜ୍ୟ ବଜେଟ୍‌ର ଯୋଜନା ବ୍ୟୟବରାଦକୁ ଟପିଯିବ ବୋଲି ଆକଳନ କରାଯାଉଛି। ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ବାର୍ଷିକ ପରିଯୋଜନାର ପ୍ରସ୍ତାବିତ ବଜେଟ୍‌ ପରିମାଣ ୨୯,୧୫୦ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ ମଧ୍ୟ ସାମିଲ ଅଛି। ଚଳିତବର୍ଷ ରାଜ୍ୟ ନିମନ୍ତେ ୩୭,୨୭୩ କୋଟି ଟଙ୍କାର ଯୋଜନା ବ୍ୟୟ ପ୍ରସ୍ତାବ ରହିଛି।

ରାଜ୍ୟ ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କ୍ଷତିର ପୂରା ଆକଳନ କରାଯିବା ପରେ ମୋଟ କ୍ଷତି ପରିମାଣ ୩୫,୦୦୦ କୋଟି ଟଙ୍କା ବା ତା’ଠାରୁ ଅଧିକ ହୋଇପାରେ। ଏତେ ପରିମାଣର କ୍ଷତିକୁ ନେଇ ରାଜ୍ୟ ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ସୂଚନା ଅନୁସାରେ ସଡ଼କ ନେଟ୍‌ଓ୍ଵର୍କରେ ମୋଟ କ୍ଷତି ପରିମାଣ ୪,୫୦୦ କୋଟି ଟଙ୍କା ହୋଇଥିବା ବେଳେ ବିଦ୍ୟୁତ୍‌ କ୍ଷେତ୍ରରେ ୭୫୦ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ସେହିଭଳି ଜଳ ବିଭାଗକୁ ମୋଟ ୯୦୦ କୋଟି ଟଙ୍କା କ୍ଷତି ଘଟିଥିବା ଆକଳନ ହୋଇଛି। କେରଳରେ ବନ୍ୟା ବିତ୍ପାତ ପରେ ଏବେ ଥଇଥାନ କାର୍ଯ୍ୟ ଜୋର୍‌ଦାର ଜାରି ରହିଛି। ରିଲିଫ ଶିବିରରେ ଏବେ ବି ୮.୬୯ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାରୁ ଶିବିରରୁ ଲୋକ ସଂଖ୍ୟା ସେହି ମୁତାବକ କମୁଛନ୍ତି। ତେବେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଘରଗୁଡ଼ିକ ମଧ୍ୟରୁ ୩୧ ପ୍ରତିଶତକୁ ସଫା କରାଯାଇଛି। ଏବେ ଏଗୁଡ଼ିକ ରହିବା ଉପଯୋଗୀ ହୋଇପାରିଛି। ସେହିଭଳି ବନ୍ୟା ଯୋଗୁ ୨୫.୬ ଲକ୍ଷ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ତନ୍ମଧ୍ୟରୁ ୨୩.୩୬ ଲକ୍ଷ ଘରେ ବିଜୁଳି ସଂଯୋଗ ସ୍ୱାଭାବିକ କରାଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ଘରଗୁଡ଼ିକୁ ବିଜୁଳି ସଂଯୋଗ ସ୍ୱାଭାବିକ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟିବା ଦ୍ୱାରା ରାଜ୍ୟରେ ୧୬,୧୫୮ ଟ୍ରାନ୍ସଫର୍ମର ଖରାପ ହୋଇଯାଇଥିଲା। ଏଥିଯୋଗୁ ଲକ୍ଷ ଲକ୍ଷ ଘରକୁ ବିଜୁଳି ସଂଯୋଗ ବନ୍ଦ ହୋଇଯାଇଥିଲା। ତେବେ ଏବେ ସୁଦ୍ଧା ୧୪,୩୧୪ ଟ୍ରାନ୍ସଫର୍ମରକୁ ମରାମତି କରାଯାଇଛି। ଫଳରେ ଏହି ଟ୍ରାନ୍ସଫର୍ମର ଉପରେ ନିର୍ଭର କରୁଥିବା ଘରଗୁଡ଼ିକୁ ବିଜୁଳି ସଂଯୋଗ ସ୍ୱାଭାବିକ ହୋଇପାରିଛି।

ରିଲିଫ ଶିବିରରେ ୮.୬୯ ଲକ୍ଷ ଥଇଥାନ କାର୍ଯ୍ୟ ଜୋର୍‌ଦାର
୨୩.୩୬ ଲକ୍ଷ ଘରେ ବିଜୁଳି ସଂଯୋଗ
୩୧ ପ୍ରତିଶତ ଘର ସଫା ହେଲା

ଆଜି ସେନାକୁ ବିଦାୟ ଦେବ କେରଳ
କୋଚି: କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର ପାଇଁ ଦେବଦୂତ ସାଜିଥିଲେ ଭାରତୀୟ ସେନା। ଜୀବନକୁ ପାଣି ଛଡ଼ାଇ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିଲେ। କେଉଁଠି କୃତ୍ରିମ ପୋଲ ତିଆରି କରିଥିଲେ ତ କେଉଁଠି ଲୋକଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ସେମାନଙ୍କ ଏହି ମହାନ୍‌ କାର୍ଯ୍ୟକୁ କେରଳବାସୀ ଆଦୌ ଭୁଲିବେ ନାହିଁ। ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପ୍ରତି କୃତଜ୍ଞ ରହିବେ। ଇତିମଧ୍ୟରେ ଉଦ୍ଧାର କାର୍ଯ୍ୟ ସରିଥିବାରୁ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ସେନା କର୍ମଚାରୀ ରବିବାର ରାଜ୍ୟରୁ ବିଦାୟ ନେବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବିଦାୟ କାଳୀନ ଉତ୍ସବର ଆୟୋଜନ କରାଯାଇଛି। ଏ ସଂକ୍ରାନ୍ତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ନିକଟରେ ଘୋଷଣା କରିଥିଲେ। ନୌସେନା କେରଳରେ ଏହାର ୧୪ ଦିନିଆ ‘ଅପରେସନ୍‌ ମଦଦ୍‌’କୁ ପ୍ରତ୍ୟାହାର କରିଛି। ଏଥିରେ ୧୬,୦୦୫ ଲୋକ ଉଦ୍ଧାର ହୋଇଛନ୍ତି। ବାୟୁସେନା, ସ୍ଥଳସେନା ଏବଂ ତଟରକ୍ଷୀ ବାହିନୀ କର୍ମଚାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ନୌସେନା ଆକାଶମାର୍ଗରୁ ଛୋଟ ପିଲା ଓ ମହିଳାଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର