ମିରଟ: ୟୁପିର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ମାମଲା ଏବେ ଚର୍ଚ୍ଚାରେ ରହିଥିବା ବେଳେ ସାମ୍ନାକୁ ଆସିଛି ତାଙ୍କ ଭଉଣୀଙ୍କ ସହ ତାଙ୍କର ହ୍ବାଟ୍ସଆପ୍ ଚାଟ୍।
ମାର୍ଚ ୬ ତାରିଖରେ ମର୍ଚାଣ୍ଟ ନାଭି ଅଫିସର ସୌରଭ ରାଜପୁତ ଓ ତାଙ୍କ ଭଉଣୀ ହୋଲିରେ ମିରଟ୍ରେ ରହିବେ କି ନାହିଁ କଥା ହୋଇଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି କି ସୌରଭଙ୍କର ସେତେବେଳକୁ ହତ୍ୟା ହୋଇ ସାରିଥାଏ। ତାଙ୍କ ଭଉଣୀ ଚିଙ୍କି ଜାଣିନଥିଲେ ଯେ ତାଙ୍କ ଭାଇଙ୍କ ଫୋନ୍ରୁ ମେସେଜ୍ ଆସୁଥିଲା ସତ, ମାତ୍ର ସେ ତାଙ୍କ ଭାଇ ନଥିଲେ।
ଯାହାଙ୍କ ଫୋନରୁ ସେ ମେସେଜ୍ ପାଉଥିଲେ, ସେ ମରିଯାଇଛନ୍ତି ଏବଂ ତାଙ୍କ ଶରୀରର କିଛି ଅଂଶ ସିମେଣ୍ଟରେ ଭର୍ତ୍ତି ଏକ ପ୍ଲାଷ୍ଟିକ୍ ଡ୍ରମ୍ରେ ପୋତାଯାଇଛି।
ଉଲ୍ଲେଖଯୋଗ୍ୟ, ମିରଟର ଇନ୍ଦିରା ନଗରର ବାସିନ୍ଦା ସୌରଭ ଏବଂ ମୁସ୍କାନଙ୍କର ୨୦୧୬ ମସିହାରେ ପ୍ରେମ ବିବାହ ହୋଇଥିଲା। ତା’ପରେ, ମୁସ୍କାନର ପ୍ରେମ ପାଇଁ, ସୌରଭ ମର୍ଚ୍ଚାଣ୍ଟ ନେଭି ଚାକିରି ମଧ୍ୟ ଛାଡି ଦେଇଥିଲେ। ପ୍ରେମ ବିବାହ ନିଷ୍ପତ୍ତି ଏବଂ ଚାକିରି ଛାଡିବା ଯୋଗୁଁ, ସୌରଭଙ୍କର ତାଙ୍କ ପରିବାର ସହିତ ବିବାଦ ଆରମ୍ଭ ହୋଇଗଲା। ପରିସ୍ଥିତି ଏତେ ଖରାପ ହେଲା ଯେ ସୌରଭ ଏବଂ ମୁସ୍କାନ ଅଲଗା ହୋଇ ଏକ ଭଡା ଘରେ ରହିବା ଆରମ୍ଭ କଲେ।
୨୦୧୯ ମସିହାରେ, ମୁସ୍କାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ମୁସ୍କାନଙ୍କର, ସାହିଲ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯେତେବେଳେ ସୌରଭ ଏହା ଜାଣିବାକୁ ପାଇଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ କଥା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଗଲା। କିନ୍ତୁ ତା’ପରେ ସୌରଭ ତାଙ୍କ ଝିଅର ଭବିଷ୍ୟତକୁ ଧ୍ୟାନରେ ରଖି ୨୦୨୩ ମସିହାରେ ପୁଣି କାମ କରିବା ପାଇଁ ବିଦେଶ ଚାଲିଗଲେ। ଝିଅର ଜନ୍ମଦିନ ପାଇଁ ସେ ଫେରିବା ପରେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୪ରେ ତାଙ୍କୁ ରାସ୍ତାରୁ ହଟାଇଥିଲେ। ପ୍ରାୟ ୧୪ଦିନ ପରେ ଡ୍ରମରେ ସୌରଭଙ୍କୁ ଖଣ୍ଡ ଖଣ୍ଡ କରି ସିଲ୍ କରାଯାଇଥିବା ଜଣାପଡ଼ିଥିଲା।