ଚେନ୍ନାଇ: ଗତ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ମେର୍ସାଲ୍’କୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହାର ପ୍ରଯୋଜକ ବିଶାଳଙ୍କ ଘରେ ଆଜି ଜିଏସ୍ଟିର ଗୁଇନ୍ଦା ଅଧିକାରୀମାନେ ଚଢ଼ଉ କରିଛନ୍ତି। ବିଶାଳ କୁଆଡ଼େ ଜିଏସ୍ଟି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ ହୋଇଛି। ଆଜି ଅପରାହ୍ଣରେ ଜିଏସ୍ଟି ଗୁଇନ୍ଦା ବିଭାଗର ଚାରି ଜଣ ଅଧିକାରୀ ଚେନ୍ନାଇ ସ୍ଥିତ ବିଶାଳଙ୍କ ସିନେମା ପ୍ରସ୍ତୁତକାରୀ ସଂସ୍ଥା ବିଶାଳ ଫିଲ୍ମ ଫାକ୍ଟ୍ରି ଉପରେ ଚଢ଼ଉ କରିଥିଲେ।ତେବେ ଏ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ।
ଉଲ୍ଲେଖ ଥାଉ କି, ଇଲାୟାଥାଲାପତି ବିଜୟଙ୍କ ଅଭିନୀତ ଏହି ‘ମେର୍ସାଲ୍’ ଚଳଚ୍ଚିତ୍ରରେ ଡିଜିଟାଲ୍ ଇଣ୍ଡିଆ ଏବଂ ଜିଏସ୍ଟିକୁ ପରିହାସ କଲା ଭଳି କିଛି ଦୃଶ୍ୟ ରହିଛି। ଚଳଚ୍ଚିତ୍ରଟି କେନ୍ଦ୍ର ସରକାରଙ୍କ ସଂପୃକ୍ତ ଦୁଇଟିଯାକ ପଦକ୍ଷେପ ସମ୍ପର୍କରେ ଭୁଲ୍ ଧାରଣା ଆଣିବ ଆଶଙ୍କା କରି ବିଜେପି ସେ ସବୁ ଦୃଶ୍ୟକୁ ହଟାଇଦେବା ଲାଗି ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳମାନେ ଏହାକୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହାକୁ କେନ୍ଦ୍ର କରି ପ୍ରଯୋଜକ ବିଶାଳ ଏବଂ ତାମିଲନାଡୁର ବିଜେପି ନେତା ଏଚ୍ ରାଜାଙ୍କ ମଧ୍ୟରେ ଭୀଷଣ ଭାବରେ ବାକ୍ ବିତଣ୍ଡା ହେବାର ଦିନକ ପରେ ଜିଏସ୍ଟି ପକ୍ଷରୁ ଏପରି ଚଢ଼ଉକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।