ଅହମଦାବାଦ: ଥାଳିରେ ଶୁଖି ଗଲାଣି ଭାତ, କିନ୍ତୁ ଗରମ ଥିବା ବେଳେ ତାକୁ ଖାଉଥିଲା କେଉଁ ଏକ ଜୀବନ୍ତ ହାତ । ଥାଳିରେ ଅଧା ଖିଆ ଅବସ୍ଥାରେ ପଡିଛି ଖାଦ୍ୟ । କାହା ଥାଳିରେ ଭାତ-ଡାଲି ଗୋଳା ହୋଇଛି, ପାଖରେ ପାମ୍ପଡ ଆଉ ସାଲାଡ୍ ଥୁଆ ହୋଇଛି । ପୁଣି କାହା ଥାଳି ପାଖରେ ଧଳା ଭାତଗୁଡା କଳା ପଡିଯାଇଛି । ହଁ ଯେଉଁଠି ଜୀବନ ଜଳି ପୋଡି ପାଉଁଶ ହୋଇଛି, ଏଡେ ବଡ ବିଲ୍ଡିଂଟା ନିଆଁ ଧାସରେ କଳା ପଡିଯାଇଛି ସେଠି ଧଳା ଭାତ କଳା ନହୁଅନ୍ତା ବା କେମିତି । 

Advertisment

ମେସ୍ କ୍ୟାଣ୍ଟିନରେ ଟେବୁଲ ସାରା ଅଧା ଖିଆ ଥାଳି ସେମିତି ପଡି ରହିଛି । ପାଖରେ ଗଡୁଛି ଗ୍ଲାସ ଓ ଚାମଚ । କିଏ ବୋଧେ ସିଧା କ୍ଲାସରୁ ଆସି ଗ୍ଲୋଭ୍ସ ଖୋଲି ଦେଇ ଭୋକିଲା ପେଟରେ ଖାଉଥିଲା । କାରଣ ଥାଳି ପାଖରେ ୨ ପଟ ଗ୍ଲୋଭ୍ସ ପଡିଛି । ହାଏ ବିଚରା ଖଣ୍ଡେ ଶାନ୍ତିରେ ଖାଇବି ପାରିଲାନି । ଏ ମୃତ୍ୟୁ ମଧ୍ୟାହ୍ନ ଭୋଜନ କରୁଥିଲା ଡାକ୍ତରୀ ଛାତ୍ରଙ୍କ ପେଟରୁ ଦାନା ଛଡାଇ ନେଇ ସେମାନଙ୍କୁ ମୃତ୍ୟୁ ଦେଇଦେଲା ଆଉ ରକ୍ତାକ୍ତ କରି ଥାଳି ପାଖରୁ ଉଠେଇ ଦେଲା । ଏମିତି ସବୁ ଚିତ୍ର ଏବେ ସାମ୍ନାକୁ ଆସିଛି ଯାହା ଦେଖିଲେ ଦେହ ଶୀତେଇ ଯାଉଛି ।

ଅହମଦାବାଦ ବିମାନ ଦୁର୍ଘଟଣା କେବଳ ଯାତ୍ରୀ, ପାଇଲଟ ଓ ବିମାନ କ୍ରିୟୁ ସଦସ୍ୟଙ୍କ ଜୀବନ ନେଇଛି ତାନୁହେଁ ବଂର ଯେଉଁ ମେଡିକାଲ କଲେଜ ବିଲଡିଂରେ ମାଡ଼ ହୋଇଥିଲା ସେଠାକାର ୩ ଜଣ ଛାତ୍ରଙ୍କ ସମେତ ୫ ଜଣଙ୍କ ଜୀବନ ନେଇଛି । ମୃତ୍ୟୁ ଯେ କେତେବେଳେ କେଉଁ ରୂପରେ ଆସିବ ସେକଥା କେହି କରିପାରିବେନି । ଯାହାର ଅନ୍ୟତମ ଉଦାହରଣ ଅହମଦାବାଦ ବିମାନ ଦୁର୍ଘଟଣା । 

କିନ୍ତୁ ବିମାନବନ୍ଦର ପାଖରେ ଥିବା ମେଡିକାଲ କଲେଜର ଛାତ୍ର କଣ ଜାଣିଥିଲେ ଆକାଶରୁ ଖସିବ ମୃତ୍ୟୁ ଓ ଖାଉଥିବା ସମୟରେ ମେସରେ ହିଁ ଚାଲିଯିବ ଜୀବନ । ଗୁରୁବାର ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନକୁ ଉଡ଼ାଣ ଭରିଥିଲା ଏୟାରଇଣ୍ଡିଆ ବୋଇଂ ବିମାନ । କିଛି ମିନିଟରେ ପରେ ଯାହା ଘଟିଥିଲା ତାହା ଥିଲା ଅବିଶ୍ୱସନୀୟ । ଉପରକୁ ଉଠିବା ବଦଳରେ ବିମାନ ଖସିଥିଲା ତଳକୁ ଆଉ ସରକାରୀ ବିଜେ ମେଡିକାଲରେ ଯାଇ ଶକ୍ତ ଭାବେ ମାଡ଼ ହୋଇଥିଲା । ଯେଉଁଠି ଥିଲା ହଷ୍ଟେଲ ମେସ ସେଠି ବିମାନର ସମ୍ମୁଖ ଭାଗ ପଶିଯାଇଥିଲା ।

ମେସରେ ଏଠି ସେଠି ପଡି ରହିଛି ଖାଦ୍ୟ, ଥାଳି । ଖାଇବାକୁ ବସିଥିବା ମେଡିକାଲ ଛାତ୍ର ହୁଏତ ଜାଣିନଥିବେ କ୍ଷଣିକରେ ଏମିତି କିଛି ଘଟିବ ବୋଲି । ଯେଉଁଥିରେ କାହାର ପ୍ରାଣ ଚାଲିଯିବ ତ ପୁଣି କିଏ ଗମ୍ଭୀଭାବେ ଆହତ ହୋଇଯିବେ । କିଛି ଛାତ୍ର ହଷ୍ଟେଲରୁ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି ଓ ଦୁର୍ଘଟଣାରେ ମେଡିକାଲ କଲେଜର ୬୦ରୁ ଅଧିକ ଛାତ୍ର ଓ କର୍ମଚାରୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ବିମାନ ମାଡ଼ ଯୋଗୁଁ ମେଡିକାଲ କଲେଜ ଭାରି କ୍ଷତି ସହିବା ସହ ଭୟର ବାତାବରଣ ଭିତରେ ଛାତ୍ରଛାତ୍ରୀ ହଷ୍ଟେଲ ଓ କଲେଜ ଛାଡି ଘରକୁ ଚାଲିଯାଇଛନ୍ତି ।