ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅନ୍ୟମାନଙ୍କ ଡିପ୍‌ଫେକ୍‌ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ, ମେଟା (ପୂର୍ବରୁ ଫେସବୁକ) ତଦନ୍ତରେ ସହଯୋଗ କରୁ ନଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସୂଚନା ପ୍ରଦାନ ପାଇଁ ମେଟାକୁ ପୁଲିସ୍‌ କର୍ତ୍ତୃପକ୍ଷ ନୋଟିସ୍‌ ପଠାଇଥିଲେ ମଧ୍ୟ ସୋସିଆଲ ମିଡିଆ କମ୍ପାନି ମେଟା ଏପର୍ଯ୍ୟନ୍ତ କୌଣସି ବିବରଣୀ ଦେଇନାହିଁ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ର ସାଇବର ସେଲ୍‌ ଏବେ ଘଟଣାର ତଦନ୍ତ କରୁଛି।

Advertisment

ନଭେମ୍ବର ୧୦ରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ଯାହା ପରେ ଅଧିକାରୀମାନେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓ ସେୟାର କରିଥିବା ଆକାଉଣ୍ଟର ୟୁଆରଏଲ୍‌ ପାଇଁ ମେଟାକୁ ଚିଠି ଲେଖିଥିଲେ।

ଉଲ୍ଲେଖଯୋଗ୍ୟ, ଡିପ୍‌ଫେକ୍‌ ଭିଡିଓରେ ସିନ୍ଥେଟିକ୍‌ ମିଡିଆ ସୃଷ୍ଟି ହୋଇଥାଏ, ଯେଉଁଥିରେ ମୂଳ ଫଟୋ କିମ୍ବା ଭିଡିଓରେ ଜଣେ ବ୍ୟକ୍ତିଙ୍କ ଛବିକୁ ଅନ୍ୟ କାହାର ସମାନତା ସହିତ ବଦଳାଯାଇଥାଏ।

ଦୀର୍ଘ ସମୟ ଧରି ତଦନ୍ତ ସତ୍ତ୍ୱେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ ମିଳି ନଥିବା ସୂତ୍ରରୁ ଜଣାପଡ଼ିଛି। ଅଭିଯୁକ୍ତ ନିଜ ଆକାଉଣ୍ଟ ଡିଲିଟ କରି ଏହା ସହ ଜଡିତ ସମସ୍ତ ଡାଟା ଡିଲିଟ୍‌ କରିଦେଇଥିବା ବେଳେ ଅଭିଯୁକ୍ତ ଆକାଉଣ୍ଟ ପାଇଁ ନକଲି ପରିଚୟ ଓ ଭିପିଏନ ବ୍ୟବହାର କରିଥିବା ସୂଚନା ମିଳିଛି।

ଭିଡିଓ ସେୟାର କରିଥିବା ବ୍ୟକ୍ତିବିଶେଷଙ୍କୁ ପଚରାଉଚରା ବେଳେ ସାଇବର ସେଲ୍‌ ଏପର୍ଯ୍ୟନ୍ତ ଡିପ୍‌ଫେକ୍‌ ଭିଡିଓର ନିର୍ମାତାଙ୍କ ସମ୍ପର୍କରେ କୌଣସି ସୁରାକ ପାଇପାରି ନାହିଁ। ଏକ୍ସ (ପୂର୍ବରୁ ଟ୍ଵିିଟର ନାମରେ ପରିଚିତ), ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓକୁ ସେୟାର କରା ଯାଇଥିଲା।

ଦିଲ୍ଲୀ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିପ୍‌ଫେକ୍‌ ମାମଲାର ତଦନ୍ତରେ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସହଯୋଗ ହାସଲ କରିବା ଜରୁରୀ। ଏହି ପ୍ଲାଟଫର୍ମଗୁଡ଼ିକ ସରକାରଙ୍କ ସହ ସହଜରେ ଆଲୋଚନା କରୁଥିଲେ ମଧ୍ୟ ପୁଲିସ ତଦନ୍ତ ସମୟରେ ସହଜରେ ସହାୟତା ଯୋଗାଇ ଦେଉ ନାହାନ୍ତି।

ଅନ୍ୟପକ୍ଷରେ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍‌ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏକ ବିଶେଷଜ୍ଞ ଦଳ ଏହାକୁ ଯାଞ୍ଚ କରୁଛନ୍ତି। ବୈଷୟିକ ବିଶ୍ଳେଷଣର ଏକ ଅଂଶ ଭାବରେ ଅଧିକାରୀମାନେ ଭିଡିଓ ଅପଲୋଡ୍‌ ହୋଇଥିବା ସମସ୍ତ ଆଇପି ଠିକଣା ଚିହ୍ନଟ କରୁଛନ୍ତି ଏବଂ ଯେଉଁ ଠିକଣାରୁ ଭିଡିଓଟି ପ୍ରଥମେ ଇଣ୍ଟରନେଟରେ ଅପଲୋଡ୍‌ ହୋଇଥିଲା ତାହା ଖୋଜି ବାହାର କରିବାକୁ ଚେଷ୍ଟା କରୁଛନ୍ତି।