ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍ଡି ଆକଳନ କରିଛି। ଏହି ଅସ୍ବାଭାବିକ ଗରମ ଗହମ ଫସଲ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଆଇଏମ୍ଡିର ୨ ଜଣ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଅଧିକାଂଶ ରାଜ୍ୟରେ ମାସ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରି ଟପିବ ବୋଲି ଆକଳନ କରାଯାଇଛି। ବିଶ୍ବର ଦ୍ବିତୀୟ ବୃହତ୍ତମ ଗହମ ଉତ୍ପାଦନକାରୀ ଭାରତ ୨୦୨୫ରେ ପ୍ରଚୁର ଗହମ ଅମଳ ହେବ ବୋଲି ଆଶା ରଖିଥିଲା। ୨୦୨୨ରୁ ଗହମ ଅମଳ ହ୍ରାସ ପାଉଥିବା ବେଳେ ଚଳିତ ବର୍ଷ ଏହା ସ୍ବାଭାବିକ ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଲଗାତାର ଚତୁର୍ଥ ବର୍ଷ ପାଇଁ ଦେଶ କମ୍ ଉତ୍ପାଦନ ସ୍ଥିତିର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି।
ଆଜିଠୁ ବଢ଼ିବ ରାତି ତାପମାତ୍ରା
ଭୁବନେଶ୍ବର: ଆସନ୍ତା ୭ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାରା ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୩ ଓ ୪ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରି ଡେଇଁଯିବ। ପୁରୀ, ପାରାଦୀପ, ଚାନ୍ଦବାଲି, ଗୋପାଳପୁର, ଛତ୍ରପୁର, ପାରଳାଖେମୁଣ୍ଡି ପରି ସହରରେ ସର୍ବନିମ୍ନ ପାରଦ ୨୪ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବୌଦ୍ଧ ଓ ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩, ନବରଙ୍ଗପୁରରେ ୩୫ ଡିଗ୍ରି ରହିଥିଲା।