ନୂଆଦିଲ୍ଲୀ: କେରଳର ମତଦାନ ପୂର୍ବରୁ ଭାରତର କିମ୍ବଦନ୍ତୀ "ମେଟ୍ରୋ ମ୍ୟାନ୍" ଇ ଶ୍ରୀଧରନ୍ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ୮୮ବର୍ଷୀୟ ଇ ଶ୍ରୀଧରନ୍ ରବିବାର କେରଳରେ ହେବାକୁ ଥିବା ବିଜୟ ଯାତ୍ରା ସମୟରେ ଦଳରେ ଯୋଗଦେବାର ସମ୍ଭାବନା ରହିଛି ଏବଂ ମେ’ ମାସ ସୁଦ୍ଧା କେରଳ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ନିର୍ବାଚନ ଲଢ଼ିବା ପାଇଁ ବିଜେପି ୭୫ବର୍ଷ ବୟସ ସୀମା ରଖିଥିବା ବେଳେ ଇ ଶ୍ରୀଧରନଙ୍କ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।
ମୁଁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି, କେବଳ ସରକାରୀ ଔପଚାରିକତା ବାକି ରହିଛି ବୋଲି ଶ୍ରୀଧରନ୍ ନିଶ୍ଚିତ କରିଛନ୍ତି। ତାଙ୍କ କହିବା ମୁତାବକ, ମୋର ଅବସର ପରେ ମୁଁ ଗତ ୧୦ବର୍ଷ ଧରି କେରଳରେ ରହିଆସୁଛି। ବିଭିନ୍ନ ସରକାରଙ୍କ ରାଜୁତି ଦେଖି ଜାଣିପାରିଛି କି ଲୋକଙ୍କ ପାଇଁ ଯାହା କରାଯିବା ଦରକାର ତାହା ସେମାନେ କରୁ ନାହାଁନ୍ତି। ଲୋକମାନଙ୍କ ପାଇଁ କିଛି କରିବା ପାଇଁ ମୁଁ ବିଜେପିରେ ଯୋଗ ଦେଉଛି। ଦଳ ଚାହିଁଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ବୋଲି ସେ କହିଛନ୍ତି।
/sambad/media/post_attachments/e26891723e8d88c70543c57e181b537db3eb89816293d1c6b496175b650b1481.jpg)
ଶ୍ରୀଧରନ୍ ୨୦୧୧ରେ ଦିଲ୍ଲୀ ମେଟ୍ରୋର ମୁଖ୍ୟ ଭାବରେ ଅବସର ନେଇଥିଲେ। ଇଞ୍ଜିନିୟର ଶ୍ରୀଧରନ୍ ଦେଶର ଅନ୍ୟାନ୍ୟ ମେଟ୍ରୋ ପ୍ରକଳ୍ପ ଯେପରିକି ଜୟପୁର, ଲକ୍ଷ୍ନୌ ଏବଂ କୋଚି ସହ ଜଡିତ ଥିଲେ। ତାଙ୍କୁ ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ବାତ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ତାମିଲନାଡୁର ଐତିହାସିକ ପମ୍ବନ୍ ବ୍ରିଜର ପୁନଃନିର୍ମାଣ କାର୍ଯ୍ୟ କରି ଶ୍ରୀଧରନ୍ ଚର୍ଚ୍ଚାକୁ ଆସିଥିଲେ।