ଦେଶର ଛୋଟ ସହରବାସୀଙ୍କୁ ସରକାରଙ୍କ ବଡ଼ ଉପହାର: ଖୁବ ଶୀଘ୍ର ଗଡ଼ିବ ମେଟ୍ରୋଲାଇଟ୍ ଟ୍ରେନ୍

ନୂଆଦିଲ୍ଲୀ:  ଏବେ କେବଳ ବଡ ସହର ନୁହେଁ,  ଛୋଟ ସହରରେ ମଧ୍ୟ ଗଡ଼ିବ ମେଟ୍ରୋ ଟ୍ରେନ୍ । ଛୋଟ ସହରବାସୀଙ୍କୁ ବଡ ଭେଟି ଦେଇଛନ୍ତି ସରକାର । ଏଣିକି ଛୋଟ ସହର ପାଇଁ ମେଟ୍ରୋଲାଇଟ୍ ସିଷ୍ଟମ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ସରକାର । ମେଟ୍ରୋଲାଇଟ୍ ଟ୍ରେନରେ ମାତ୍ର ୩ଟି ବଗି ରଖିବାକୁ ଯୋଜନା କରାଯାଇଥିବା ବେଳେ ଘଣ୍ଟା ପ୍ରତି ୨୫ କିଲୋମିଟର ହାରାହାରି ବେଗରେ ଏହା ଗତି କରିବ । ଏନେଇ କେନ୍ଦ୍ର ସହର ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି ।

କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରାଳୟ ଅନୁଯାୟୀ, ମେଟ୍ରୋ ଟ୍ରେନ୍ ତୁଳନାରେ କମ ଖର୍ଚ୍ଚରେ ମେଟ୍ରୋଲାଇଟ୍ ଟ୍ରେନର ନିର୍ମାଣ କରାଯିବ । ସୂଚନା ଅନୁଯାୟୀ, ଏହି ୩ କୋଚ୍ ବିଶିଷ୍ଟ ମେଟ୍ରୋଲାଇଟ ଟ୍ରେନରେ ୩୦୦ ଯାତ୍ରୀ ଯାତ୍ରା କରିପାରିବେ । ମେଟ୍ରୋଲାଇଟ୍ ସିଷ୍ଟମକୁ ବିକଶିତ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ ।

ମେଟ୍ରୋଲାଇଟ୍ ସିଷ୍ଟମର ରାସ୍ତାକୁ ସଡକ ପଥରୁ ସମ୍ପୂର୍ଣ୍ଣ ଅଲଗା ଭାବେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏହାପୂର୍ବରୁ ବିଜେପି ନିର୍ବାଚନ ଇସ୍ତାହାରରେ ଦେଶରେ ମେଟ୍ରୋ ନେଟୱର୍କକୁ ୫୦ଟି ସହରକୁ ବଢାଇବାକୁ କହିଥିଲା । ମେଟ୍ରୋଲାଇଟ୍ ସିଷ୍ଟମ ପାଇଁ ମଧ୍ୟ ମେଟ୍ରୋ ଭଳି ପ୍ଲାଟଫର୍ମ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ରହିଛି । ଏହି ମେଟ୍ରୋଲାଇଟ୍ ସିଷ୍ଟମରେ ବଗିଗୁଡିକ ପରସ୍ପର ସହ ଯୋଡି ହୋଇ ରହିବ । ଏହାକୁ ଅଲଗା କରାଯାଇପାରିବ ନାହିଁ । ଏହି ବଗି ଗୁଡିକ ଷ୍ଟିଲ ଓ ଆଲୁମିନିୟରେ ନିର୍ମିତ ହେବ ।

ସମ୍ବନ୍ଧିତ ଖବର