ସାନ୍ ପେଡ୍ରେ ହୁଆମେଲୁଲା (ମେକ୍ସିକୋ): ସହରବାସୀଙ୍କ ରୋଜଗାର ବୃଦ୍ଧି ନିମନ୍ତେ ଦକ୍ଷିଣ ମେକ୍ସିକୋର ଏକ ଛୋଟ ସହରର ଜଣେ ମେୟର ପାରମ୍ପରିକ ରୀତିରେ ଗୋଟାଏ ମାଈ କୁମ୍ଭୀରକୁ ବାହାହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ପ୍ରାପ୍ତ ରିପୋର୍ଟ ଅନୁସାରେ, ମେକ୍ସିକୋର ତେହୁଆନ୍ତେପକେ୍ ଇସ୍ଥ୍ମସ୍ ଅନ୍ତର୍ଗତ ଆଦିମ ଜନଜାତି ଚୋନ୍ତାଲ୍ମାନଙ୍କ ସହର ସାନ୍ ପେଡ୍ରେ ହୁଆମେଲୁଲାର ମେୟର୍ ଭିକ୍ଟର୍ ହ୍ୟୁଗୋ ସୋସା ପ୍ରାଚୀନ ପରମ୍ପରାମତେ ଆଲିସିଆ ଆଡ୍ରିଆନା ନାମ୍ନୀ ମାଈ କୁମ୍ଭୀରକୁ ବାହାହୋଇଛନ୍ତି।
ସରୀସୃପଟି ହେଉଛି ମେକ୍ସିକୋ ଏବଂ କେନ୍ଦ୍ରୀୟ ଆମେରିକାରେ ଦେଖାଯାଉଥିବା କାଇମାନ୍ ପ୍ରଜାତିର କୁମ୍ଭୀର। ସ୍ଥାନୀୟ ବାସିନ୍ଦା ‘ରାଜଜେମା’ ବୋଲି କହୁଥିବା ଉକ୍ତ କୁମ୍ଭୀର ପ୍ରତି ବିଶ୍ବସ୍ଥ ରହିବେ ବୋଲି ମେୟର୍ ସୋସା ପ୍ରତିଜ୍ଞା କରିଛନ୍ତି।
ବାହାଘର ବେଳେ ମେୟର୍ ସୋସା କହିଛନ୍ତି, ଆମେ ପରସ୍ପରକୁ ସ୍ନେହ କରୁଥିବାରୁ ମୁଁ ତା’ର ଦାୟିତ୍ବ ବହନ କଲି। ପ୍ରେମ ହିଁ ଗୁରୁତ୍ବପୂର୍ଣ୍ଣ। ପ୍ରେମ ବିନା ଜଣେ ବିବାହ କରି ପାରେ ନାହିଁ…। ସେଥିପାଇଁ ମୁଁ ‘ରାଜଜେମା’ଙ୍କୁ ବିଭା ହେଲି।
ଉଲ୍ଲେଖଯୋଗ୍ୟ, ଏଠାରେ ଦୀର୍ଘ ୨୩୦ ବର୍ଷ ହେବ ମଣିଷ ଓ ମାଈ ‘କାଇମାନ୍’ଙ୍କ (କୁମ୍ଭୀର) ବିବାହ ହୋଇଆସୁଛି। ବହୁ ବର୍ଷ ପୂର୍ବେ ବିବାହ ସମ୍ବନ୍ଧ କରି ଦୁଇ ଆଦିମ ଜନଜାତି ସମ୍ପ୍ରଦାୟ ଶାନ୍ତି ସନ୍ଧି କରିଥିବା ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ ହୋଇଆସୁଛି।
ସେହିପରି, ଏହି ବିବାହ ଯୋଗୁଁ ଜାଲରେ ଭଲ ମାଛ ପଡ଼ିବାରୁ ରୋଜଗାର ଅଧିକ ହୁଏ ଓ ଶାନ୍ତିରେ ସହାବସ୍ଥାନ କରିହୁଏ ବୋଲି ଲୋକବିଶ୍ବାସ ବି ଚଳିଆସୁଛି।
ବିଧି ଅନୁଯାୟୀ ବାହାଘର ପୂର୍ବରୁ କୁମ୍ଭୀରଟିକୁ ଧରି ଘରକୁ ଘର ବୁଲାଯାଏ। ନଗରବାସୀମାନେ ତାକୁ କାଖ କରି ନୃତ୍ୟ କରନ୍ତି। କୁମ୍ଭୀରଟି ପିନ୍ଧିଥାଏ ସବୁଜ ସ୍କଟ୍, ହାତରେ ସୂଚୀକାମ ହୋଇଥିବା ଖଣ୍ଡେ ରଙ୍ଗିନ ‘ଟୁନିକ୍’ (ଲମ୍ବା ପୋଷାକ), ମୁଣ୍ଡରେ ବାନ୍ଧିଥାଏ ରିବନ୍ ଓ ‘ସିକ୍ୟୁନ୍ସ୍’।
କାଳେ କାମୁଡ଼ା କାମୁଡ଼ି କରିବ, ଏହି ଆଶଙ୍କାର ସେ କୁମ୍ଭୀରର ପାଟିକୁ ରଶିରେ ବାନ୍ଧି ଦିଆଯାଇଥାଏ। ପରେ ତାକୁ ଧଳା ପୋଷାକରେ କନ୍ୟାରୂପେ ସଜାଯାଇ ଟାଉନ୍ ହଲ୍କୁ ନିଆଯାଏ। ବିବାହ ପରେ ପାରମ୍ପରିକ ବାଇଦା ବାଜଣାର ତାଳେ ତାଳେ ମେୟର୍ ନୃତ୍ୟ କରନ୍ତି।