ମେକ୍ସିକୋରେ ୭.୫ ତୀବ୍ରତାର ଭୂକମ୍ପ, ସୁନାମି ଆଶଙ୍କା

ନୂଆଦିଲ୍ଲୀ: ସୋମବାର ମେକ୍ସିକୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଉପକୂଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଯାଇଛି। ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୧.୦୫ଟାରେ ଏହି ଭୂକମ୍ପ ହୋଇଥିଲା। ଏବେ ସୁଦ୍ଧା ଏଥିରେ କ’ଣ କ୍ଷୟକ୍ଷତି ଘଟିଛି କୌଣସି ପ୍ରକାର ସୂଚନା ମିଳିନାହିଁ।

ମେକ୍ସିକୋରେ ଅଚାନକ ଏହି ଭୂକମ୍ପ ହେବା ପରେ ଘରଦ୍ବାର ଦୋହଲି ଯାଇଥିଲା।ଫଳରେ ମେକ୍ସିକୋ ବାସିନ୍ଦା ନିଜକୁ ସୁରକ୍ଷା ଦେବାକୁ ବଡ଼ ବଡ଼ ଅଟାଳିକା ଛାଡ଼ି ରାସ୍ତା ମଝିକୁ ପଳାଇ ଆସିଥିଲେ। ଏହି ଭୂକମ୍ପ ପରେ ରାଜଧାନୀରେ ସତର୍କ ସୂଚନା ଜାରି କରାଯାଇଛି।

ଆମେରିକାର ସୁନାମୀ ଚେତାବନୀ କେନ୍ଦ୍ର ପକ୍ଷରୁ ଜାଣିବାକୁ ମିଳିଛି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୦୦ ମାଇଲ୍‌ ମଧ୍ୟରେ ସୁନାମୀ ହେବାର ଆଶଙ୍କା ରହିଛି। ମାତ୍ର ଆମେରିକାର ପଶ୍ଚିମ ଉପକୂଳ ପ୍ରତି କୌଣସି ବିପଦ ନାହିଁ।

 

ଏହି ଭୂକମ୍ପ ପରେ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡୋର୍‌ ଏକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ ‘ପଶ୍ଚିମ କୋଲିମାସ୍ଥିତ ମଞ୍ଜାନିଲୋର ଆବର୍ଜନା ଭିତରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି।’ ମେକ୍ସିକୋ ସିଟିରେ ସେପରି କୌଣଣି ବିଶେଷ କ୍ଷତି ହୋଇଥିବାର ସୂଚନା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର