ବୈଶ୍ବିକ ଅସ୍ତ୍ରବିରତି କମିସନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମିଲ କରିବାକୁ ଆଗ୍ରହୀ ମେକ୍ସିକୋର ରାଷ୍ଟ୍ରପତି

ମେକ୍‌ସିକୋ ସିଟି: ୫ ବର୍ଷ ପାଇଁ ବୈଶ୍ବିକ ଅସ୍ତ୍ରବିରତିର (ଗ୍ଲୋବାଲ୍‌ ଟ୍ରୁସ୍‌) ପ୍ରସାର ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବର ୩ଜଣ ନେତାଙ୍କୁ ମିଶାଇ କମିସନ୍‌ ଗଠନ କରିବା ଲାଗି ଜାତିସଂଘକୁ ଲିଖିତ ପ୍ରସ୍ତାବ ଦେବା ଲାଗି ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର୍‌ ଯୋଜନା କରୁଥିବା କଥା ‘ଏମ୍‌ଏସ୍‌ଏନ୍‌’ ୱେବ୍‌ ପ‌ୋର୍ଟାଲ୍‌ ବୁଧବାର ଦିନ ରିପ‌ୋର୍ଟ କରିଛି।

ସାମ୍ବାଦିକ ସମ୍ମିଳନୀରେ ଓବ୍ରାଡର୍‌ କହିଛନ୍ତି, ଲିଖିତ ଭାବେ ମୁଁ ଜାତିସଂଘରେ ଉକ୍ତ ପ୍ରସ୍ତାବ ଉପସ୍ଥାପନ କରିବି। ଏକଥା ମୁଁ କିଛି ଦିନ ହେବ କହି ଆସୁଛି ଆଉ ଗଣମାଧ୍ୟମ ମୋ କଥାକୁ ପ୍ରସାର କରିବ ମୋର ଆଶା। କାରଣ ସେମାନଙ୍କୁ (ଗଣମାଧ୍ୟମ) ସୁବିଧା ନ‌ ହେଲେ ସେମାନେ କୌଣସି କଥା ରିପୋର୍ଟ କରନ୍ତି ନାହିଁ।

Image Courtesy of Republic World

ସଂଗୃହୀତ ସୂଚନା ଅନୁସାରେ, ଏହି କମିସନ୍‌ରେ ପୋପ୍‌ ଫ୍ରାନ୍‌ସିସ୍‌, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମିଲ କରାଯିବ।

ଏହି କମିସନ୍‌ର ଉଦ୍ଦେଶ୍ୟ ହେବ ସମଗ୍ର ବିଶ୍ବରେ ଯୁଦ୍ଧ ବନ୍ଦ କରାଇ ଅନ୍ୟୁନ ୫ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧବିରତି ଲାଗି ରାଜିନାମା କରାଇବା।

ଓବ୍ରାଡର୍‌ କହିଛନ୍ତି, ଉପରୋକ୍ତ ୩ଜଣ ଏକତ୍ର ହୋଇ ଅବିଳମ୍ବେ ବିଶ୍ବରେ ଯେକୌଣସି ସ୍ଥାନରେ ଲାଗିଥିବା ଯୁଦ୍ଧ ବନ୍ଦ କରାଇବା ପାଇଁ ପ୍ରସ୍ତାବ ଦେବା ସହ ଅନ୍ୟୂନ ୫ ବର୍ଷ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଇଁ ରାଜିନାମା କରାଇବେ। ଏହା ଫଳରେ ବିଶ୍ବର ସରକାର ସବୁ ନିଜ ନିଜର ଦେଶର ଜନସାଧାରଣଙ୍କୁ, ବିଶେଷକରି ଯୁଦ୍ଧଦ୍ବାରା ପ୍ରଭାବିତ ଦୁର୍ଦ୍ଦଶା ଭୋଗୁଥିବା ଜନତାଙ୍କୁ ସାହାଯ୍ୟ କରିବେ। ସେ ୫ ବର୍ଷ ଉତ୍ତେଜନା ଓ ହିଂସା ରହିତ ହେବ ଏବଂ ଲୋକେ ଶାନ୍ତିରେ କାଳାତିପାତ କରିବେ।

ସମ୍ବନ୍ଧିତ ଖବର