ଇନ୍ଦୋର: ତିନି ମାସ ଧରି ଜଣେ ନୂଆ ମେଡିକାଲ ଛାତ୍ରୀ ଭାବରେ ନିୟମିତ କଲେଜ ଯିବା ସହ ଅତି ସହଜରେ ବନ୍ଧୁ ତିଆରି କରୁଥିବା ଯୁବତୀ ଜଣକ ଯେ ଜଣେ ପୁଲିସ ଅଫିସର ଏକଥା ଏମ୍ଜିଏମ୍ ମେଡିକାଲ କଲେଜର କୌଣସି ଛାତ୍ର ବା ଛାତ୍ରୀ ଜାଣିପାରି ନ ଥିଲେ। ଏହି ଛଦ୍ମବେଶୀ ପୁଲିସ ଜଣକ ହେଉଛନ୍ତି ୨୪ ବର୍ଷୀୟା ଶାଳିନୀ ଚୌହାନ। ୫ ମାସ ଧରି ପୁଲିସ ଏକ ରୢାଗିଂ ମାମଲାର ସୁରାକ ପାଇପାରୁ ନ ଥିଲା ବେଳେ ଚୌହାନ ସମସ୍ତ ୧୧ ଜଣ ବରିଷ୍ଠ ଛାତ୍ରଙ୍କୁ ଚିହ୍ନଟ କରିପାରିଛନ୍ତି ଯେଉଁମାନେ ଜୁଲାଇ ମାସର ନୃଶଂସ ରୢାଗିଂ ଘଟଣା ପାଇଁ ଦାୟୀ। ଶାଳିନୀ ନିକଟରେ ଇନ୍ଦୋରର ସଂଯୋଗିତାଗଞ୍ଜ ଥାନାରେ ନିଯୁକ୍ତି ପାଇଛନ୍ତି। ମିସନ ଏମ୍ଜିଏମ୍ ହେଉଛି ତାଙ୍କର ପ୍ରଥମ ଅପରେସନ। ତାଙ୍କ ବାପା ଜଣେ ପୁଲିସ ଅଫିସର ଥିଲେ। ୨୦୧୦ରେ ତାଙ୍କର ପରଲୋକ ହୋଇଥିବା ବେଳେ ବର୍ଷକ ପରେ ମାଆଙ୍କର ମଧ୍ୟ ସ୍ବର୍ଗବାସ ହୋଇଥିଲା। ସେ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଲିସ ବିଭାଗରେ ଯୋଗ ଦେଇଛନ୍ତି।
ନିଜେ ଜଣେ କମର୍ସ ସ୍ନାତକ ହେଲେ ମଧ୍ୟ ଏକ ଜିନ୍ ପ୍ୟାଣ୍ଟ ଓ ଟପ୍ ପିନ୍ଧି, ବହିଭର୍ତ୍ତି ବ୍ୟାଗ୍ କାନ୍ଧରେ ପକେଇ ଶାଳିନୀ ଜଣେ ମେଡିକାଲ ଛାତ୍ରୀ ବା ନର୍ସର ଅଭିନୟ କରୁଥିଲେ। ତଦନ୍ତ ଦାୟିତ୍ବରେ ଥିବା ଥାନା ଅଧିକାରୀ ତେହଜିବ କାଜି ଓ ଏସ୍ଆଇ ସତ୍ୟଜିତ ଚୌହାନ ତାଙ୍କୁ ନିର୍ଦ୍ଦିଷ୍ଟ ଅଭିଯୁକ୍ତ ଛାତ୍ରଙ୍କ ଉପରେ ନଜର ରଖିବାକୁ କହିଥିଲେ। ଶାଳିନୀ କଲେଜ କ୍ୟାଣ୍ଟିନରେ ଦିନକୁ ୫ରୁ ୬ ଘଣ୍ଟା ବିତାଇ ସମ୍ପୃକ୍ତ ଛାତ୍ରଙ୍କ ଉପରେ ନଜର ରଖୁଥିଲେ। ସବୁ ପ୍ରକାର ଲୋକଙ୍କ ସହ ସେ କଥାବାର୍ତ୍ତା କରୁଥିଲେ। ଶେଷରେ କନିଷ୍ଠ ଛାତ୍ରଛାତ୍ରୀମାନଙ୍କୁ ରୢାଗିଂ କରୁଥିବା ବରିଷ୍ଠ ଛାତ୍ରମାନଙ୍କ ବିଷୟରେ ଧୀରେ ଧୀରେ ସେ ସବୁ ସୂଚନା ସଂଗ୍ରହ କଲେ।
କାଜି ଏହି ଅପରେସନ ସଫଳତାର ଶ୍ରେୟ ତାଙ୍କ ଟିମ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ପ୍ରମାଣ ସଂଗ୍ରହ ପାଇଁ ଏକ ଛଦ୍ମବେଶୀ ପୁଲିସଦଳ ଗଠନ କରାଯାଇଥିଲା। କିନ୍ତୁ ତାଙ୍କୁ ଦେଖି ଛାତ୍ରମାନେ ସହଜରେ ଚିହ୍ନିପକାନ୍ତି, ଡରି ପଳାନ୍ତି ଓ ସହଯୋଗ କରନ୍ତି ନାହିଁ। ତେଣୁ ଏହି କାର୍ଯ୍ୟରେ ନିବନିଯୁକ୍ତ ଶାଳିନୀଙ୍କୁ ନିୟୋଜିତ କରାଗଲା କାରଣ କଲେଜ ଡ୍ରେସ୍ ପିନ୍ଧିଲେ ସେ ପୂରା କଲେଜ ଛାତ୍ରୀଙ୍କ ପରି ଦେଖାଯାନ୍ତି। ଅନ୍ୟ ଯୁବ ପୁଲିସଙ୍କୁ ମଧ୍ୟ ଛଦ୍ମବେଶରେ ଛାତ୍ରମାନଙ୍କ ସହ କଥା ହେବାକୁ ପଠାଯାଉଥିଲା। ଶାଳିନୀଙ୍କ କହିବା ଅନୁସାରେ ଡେ ସ୍କଲାରମାନେ କନିଷ୍ଠ ଡେ ସ୍କଲାରଙ୍କୁ ଏବଂ ହଷ୍ଟେଲ ଅନ୍ତେବାସୀମାନେ କନିଷ୍ଠ ଅନ୍ତେବାସୀଙ୍କୁ ରୢାଗିଂ କରୁଥିଲେ। ଅଭିଯୁକ୍ତ ଛାତ୍ରମାନେ କନିଷ୍ଠମାନଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ ଓ ନିର୍ଯାତନା ଦେଉଥିଲେ। ଧରାପଡ଼ିଥିବା ୧୧ ଛାତ୍ରଙ୍କ ମଧ୍ୟରୁ ୯ ଜଣ ମଧ୍ୟପ୍ରଦେଶର, ଜଣେ ପଶ୍ଚିମବଙ୍ଗର ଓ ଜଣେ ବିହାରର। କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ତିନିମାସ ପାଇଁ କଲେଜ ଓ ହଷ୍ଟେଲରୁ ବହିଷ୍କାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/f45h4s5fhsf4h6fs5465fhs456fh.jpg)