ଦଙ୍ଗାକାରୀମାନେ ପୁଲିସ ଉପରେ ଆକ୍ରମଣ କରିପାରନ୍ତି, ସତର୍କତା ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଫେଟ ବୟାନ ବିବାଦକୁ ନେଇ ଆଜି ସାରା ଦେଶରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ବିଭିନ୍ନ ସହରରେ ଦଙ୍ଗାକାରୀମାନେ ପଥର ମାଡ଼ କରିବା ସହ ଜଳାପୋଡ଼ା କରିଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ପୁଲିସ ମୁଖ୍ୟମାନଙ୍କୁ ଏକ ଆଡଭାଇଜରି (ପରାମର୍ଶ) ଜାରି କରାଯାଇଛି । ଦଙ୍ଗାକାରୀମାନେ ପୁଲିସକର୍ମୀଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଛି, ଏଣୁ ସତର୍କ ରହିବାକୁ ଗୃହ ମନ୍ତ୍ରାଳୟ ଡିଜିପିମାନଙ୍କୁ ପରାମର୍ଶ ଦେଇଛି ।

ଏହା ସହିତ ଦଙ୍ଗାର ମୁକାବିଲା କରିବାକୁ ପୁଲିସ କର୍ମୀମାନେ ପ୍ରସ୍ତୁତ ରହିବା ସହ ଉପଯୁକ୍ତ ପୋଷାକ ଓ ସୁରକ୍ଷା ଉପକରଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷେର ଦଙ୍ଗା ସଂପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଉତ୍ତେଜନାସୃଷ୍ଟିକାରୀ ପୋଷ୍ଟ କରୁଥିବା ଲୋକମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । ଏହା ସହିତ ସଂବେଦନଶୀଳ ଅଂଚଳଗୁଡ଼ିକ ଚିହ୍ନଟ ପାଇଁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଫେଟ ବିବାଦକୁ ନେଇ ଶୁକ୍ରବାରଦିନ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।  ଏହାକୁ ଦେଖି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲହୁବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା । ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ମୁସଲିମ ସଂପ୍ରଦାୟର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । କେତେକ ସ୍ଥାନରେ ପଥର ମାଡ଼ ମଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର