ଡାକ୍ତରଖାନା ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯ଼ାଞ୍ଚ କର : ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ : ଦେଶ କରୋନା ମହାମାରୀର ୨ୟ ଲହରର ସମ୍ମୁଖୀନ ହେଉଥିବାବେଳେ କେତେକ ରାଜ୍ୟରେ ଡାକ୍ତରଖାନା ଓ ନର୍ସିଂହୋମଗୁଡ଼ିକରେ ଅଗ୍ନିକାଣ୍ଡର ଖବର ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଏକ ପରାମର୍ଶଜାରି କରି ହସପିଟାଲ ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯ଼ାଞ୍ଚ କରିବାକୁ କୁହାଯ଼ାଇଛି ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟସଚିବମାନଙ୍କୁ ଏକ ପତ୍ର ଲେଖି କେନ୍ଦ୍ର ଗୃହ ସଚିବ ଜଣାଇଛନ୍ତି ଯ଼େ ଖରାଦିନର ଉଚ୍ଚ ତାପମାତ୍ରା, ରକ୍ଷଣାବେକ୍ଷଣ ଅଭାବରୁ କିମ୍ବା ଅଧିକ ଚାପ କାରଣରୁ ସର୍ଟ ସର୍କିଟ ଘଟି ଏସବୁ ଅଗ୍ନିକାଣ୍ଡ ଘଟୁଛି । ଆଗକୁ ଯ଼େପରି ଏପରି ଅଗ୍ନିକାଣ୍ଡ ନହୁଏ, ସେଥିପ୍ରତି ରାଜ୍ୟ ସରକାରମାନେ ଏକ ସ୍ବତନ୍ତ୍ର ଟିମ ଗଠନ କରି ଡାକ୍ତରଖାନା ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯ଼ାଞ୍ଚ କରନ୍ତୁ । ରାଜ୍ୟ ସରକାରଙ୍କ ଏହି ଟିମରେ ବିଦ୍ୟୁତ, ଅଗ୍ନିଶମ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ରହିବା ଆବଶ୍ୟକ । ସେହିପରି ପ୍ରାନ୍ତ ଅଧିକାରୀମାନେ ନିୟମିତ ଭାବେ ହସପିଟାଲଗୁଡ଼ିକୁ ଗସ୍ତ କରି ନିରାପତ୍ତା ବ୍ୟବସ୍ଥା ଯ଼ାଞ୍ଚ କରିବା ଆବଶ୍ୟକ । ଅନ୍ୟପକ୍ଷରେ ହସପିଟାଲଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଯ଼ୋଗାଣ ପାଇଁ ଏହି ପରାମର୍ଶରେ କୁହାଯ଼ାଇଛି ।

ନିକଟରେ ଦେଶର କେତେକ ରାଜ୍ୟ ଯ଼େପରିକି ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀରେ ଥିବା କେତେକ ହସପିଟାଲରେ ନିଆଁ ଲାଗି ରୋଗୀମାନେ ପ୍ରାଣ ହରାଇଥିଲେ । ଏହା ପରେ ସରକାର ସତର୍କ ହୋଇଉଠିଛନ୍ତି ।

ସମ୍ବନ୍ଧିତ ଖବର