ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷାକୁ ଲକଡାଉନ କଟକଣାମୁକ୍ତ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସିବିଏସଇ , ଆଇସିଏସଇ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ ଲକଡାଉନ କଟକଣାରୁ ମୁକ୍ତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର   ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି । ତେବେ ପରୀକ୍ଷା ଆୟୋଜନ ବେଳେ ସମସ୍ତ ପ୍ରକାରର ନିୟମାବଳୀ ଯଥା ସୋସିଆଲ ଡିଷ୍ଟାନ୍ସିଂ ଓ ମାସ୍କ, ହାତଧୋଇବା ଆଦିକୁ ପାଳନ କରାଯିବ ।

ମନ୍ତ୍ରାଳୟର ଏହି ନିଷ୍ପତ୍ତି ପାଳନ କରିବାକୁ କେନ୍ଦ୍ର ଗୃହ ସଚିବ  ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି । ଏହି ପତ୍ରରେ  ସେ ଲେଖିଛନ୍ତି ଯେ ପରୀକ୍ଷା ଆୟୋଜନ ବେଳେ ଉଭୟ ଛାତ୍ରଛାତ୍ରୀ ଓ ପରୀକ୍ଷକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସେହିପରି ପରୀକ୍ଷା କେନ୍ଦ୍ରରେ ସାନିଟାଇଜର,  ହାଣ୍ଡଓ୍ବାସ ରହିବ । ପୁଣି ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରିବା ବେଳେ ଥର୍ମାଲ ସ୍କାନରର ଉପଯୋଗ କରି ଯାଞ୍ଚ କରାଯିବ । ଆହୁରି ମଧ୍ୟ ପରୀକ୍ଷାକେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ପ୍ରଶାସନ ପକ୍ଷରୁ ବସର  ଆୟୋଜନ କରାଯିବ ।

କେବଳ ସିବିଏସଇ ବା ଆଇସିଏସଇ ନୁହେଁ, ଯଦି କୌଣସି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ଓ ୧୨ଶ ପରୀକ୍ଷା ବାକି ରହିଛି ସେମାନେ ମଧ୍ୟ ଏସବୁ ନିୟମ ମାନି ପରୀକ୍ଷା ଆୟୋଜନ କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର