କଶ୍ମୀରକୁ ଗଲେ ଅଧିକ ୧୦ ହଜାର ଯବାନ

ଉଚ୍ଛେଦ ହେବ ୩୭୦, ୩୫-ଏ?

ଶ୍ରୀନଗର : ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୫ ତାରିଖରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ କଶ୍ମୀରରେ ଏବେ ଅଧିକ ୧୦,୦୦୦ ଯବାନ ପହଞ୍ଚି ସାରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୁଦୃଢ଼ କରିବାପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ଅଚାନକ ୧୦ ହଜାର ସେନା ମୁତୟନ କରାଯିବାରୁ ରାଜ୍ୟରେ ଧାରା ୩୭୦ ଓ ୩୫-ଏ ହଟାଇବା ଦିଗରେ ଏହା ଏକ ପ୍ରାକ୍‌ ପ୍ରସ୍ତୁତି ବୋଲି କୁହାଯାଉଛି।

ମୋଦୀ ସରକାରଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭଲ କଶ୍ମୀର ଗସ୍ତରୁ ଫେରିବାର ଦୁଇ ଦିନ ପରେ ସରକାର ୧୦ ହଜାର ଯବାନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏବଂ ନେସ୍‌ନାଲ କନ୍‌ଫରେନ୍ସ ନେତାମାନେ ବିରୋଧ କରିବା ଆରମ୍ଭ କରିଛନ୍ତି।

ସରକାର କଶ୍ମୀରକୁ ସେନା ନିୟନ୍ତ୍ରଣରେ ହିଁ ରଖିବାକୁ ଚାହୁଛନ୍ତି ବୋଲି ମୁଫ୍‌ତି କହିଛନ୍ତି। ଉପତ୍ୟକାରେ ସାଧାରଣ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀର ହେଉଛି ଏକ ରାଜନୈତିକ ସମସ୍ୟା। ଏଠାରେ ସାମରିକ ଉପାୟରେ ସମସ୍ୟାର ସାମଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟରୁ ସିଆରପିଏଫ୍‌ର ୫୦ କମ୍ପାନି, ଏସ୍‌ଏସ୍‌ବିର ୩୦, ଆଇଟିବିପି ଏବଂ ବିଏସଏଫ୍‌ରୁ ୨୦ କମ୍ପାନି ଜମ୍ମୁ କଶ୍ମୀରରେ ପହଞ୍ଚି ସାରିଛନ୍ତି।

ଏନ୍‌ଏସଏ ଡୋଭଲ ତାଙ୍କ ଗସ୍ତ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କରିଥିଲେ ଏବଂ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଉଲ୍ଲେଖଯୋଗ୍ୟ ନିକଟରେ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ୪୦,୦୦୦ ଅତିରିକ୍ତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ କଶ୍ମୀରରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର