ନୂଆଦିଲ୍ଲୀ: କମ୍ପ୍ୟୁଟର୍ରେ ଷ୍ଟୋର୍ ହୋଇଥିବା, ଗ୍ରହଣ କରାଯାଇଥିବା ବା ପ୍ରସାରିତ ହୋଇଥିବା ସୂଚନା ଆଦିକୁ ଆକ୍ସେସ୍ କରିବା ନିମନ୍ତେ ୧୦ଟି କେନ୍ଦ୍ରୀୟ ଏଜେନ୍ସି ଏବଂ ସିକ୍ୟୁରିଟି ଏଜେନ୍ସିଙ୍କୁ କ୍ଷମତା ମଞ୍ଜୁର କରିଥିବା କଥା ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଏକ ନିର୍ଦେଶନାମାରେ କହିଛି।
ଗୁରୁବାର ଦିନ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ କ୍ଷମତାପ୍ରାପ୍ତ ଏଜେନ୍ସିମାନେ ଯେ କୌଣସି କମ୍ପ୍ୟୁଟର୍ରେ ପ୍ରସ୍ତୁତ ହୋଇଥିବା, ପ୍ରସାରିତ ହୋଇଥିବା, ଗ୍ରହଣ କରାଯାଇଥିବା ବା ଷ୍ଟୋର୍ ହୋଇଥିବା ଯେ କୌଣସି ସୂଚନାକୁ ଅଟକ, ତନଖି ଓ ପୁନର୍ବିନ୍ୟାସ (ଇଣ୍ଟର୍ସେପ୍ଟ୍, ମନିଟର୍ ଓ ଡିକ୍ରାଇପ୍ଟ୍) କରିପାରିବେ।
ଏଇ ୧୦ ଏଜେନ୍ସି ହେଉଛନ୍ତି:
୧. ଇଣ୍ଟେଲିଜେନ୍ସ୍ ବ୍ୟୁରୋ
୨. ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ
୩. ଏନ୍ଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍
୪. ସେଣ୍ଟ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍
୫. ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍
୬. ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍
୭. ନେସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି
୮. କ୍ୟାବିନେଟ୍ ସେକ୍ରେଟାରିଏଟ୍ (ର’)
୯. ଡାଇରେକ୍ଟୋରେଟ୍ ଅଫ୍ ସିଗ୍ନାଲ୍ ଇଣ୍ଟେଲିଜେନ୍ସ୍ (ଫର୍ ସର୍ଭିସ୍ ଏରିଆଜ୍ ଅଫ୍ ଜମ୍ମୁ ଆଣ୍ଡ୍ କଶ୍ମୀର, ନର୍ଥ-ଇଷ୍ଟ୍ ଆଣ୍ଡ୍ ଆସମ ଓନ୍ଲି)
୧୦. କମିସନର୍ ଅଫ୍ ପୋଲିସ୍, ଦିଲ୍ଲୀ
ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ୍ର ଧାରା ୬୯ (୧) ଅଧୀନରେ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବାଙ୍କ ଦସ୍ତଖତ ରହିଛି।
ବିଜ୍ଞପ୍ତିରେ ଆହୁରି ବୁଝାଇ ଦିଆଯାଇଛି ଯେ ତାଲିକାଭୁକ୍ତ ୧୦ଟି ଏଜେନ୍ସିଙ୍କୁ ଗ୍ରାହକ ବା ସେବା ପ୍ରଦାନକାରୀ ବା କମ୍ପ୍ୟୁଟର୍ ସମ୍ବଳ ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତି ସମସ୍ତ ପ୍ରକାର ସୁବିଧା ଏବଂ ବୈଷୟିକ ସହାୟତା ଯୋଗାଇ ଦେବେ। ଏଥିରେ ବିଫଳ ହେଲେ ସାତ ବର୍ଷ ଜେଲ୍ ଓ ଜରିମାନା ଦଣ୍ଡ ଭୋଗିବେ।
ଏହା ଲାଗୁ ହେବାରୁ ଗୃହ ବ୍ୟାପାର ମନ୍ତ୍ରାଳୟର ଠାରୁ ଆଗୁଆ ଅନୁମୋଦନ ବିନା ଏଜେନ୍ସି ସାମାଜିକ ଗଣମାଧ୍ୟମ ଉପରେ ଦୃଷ୍ଟି ରଖିବା ସହ ତାହାକୁ ତନଖି କରି ପାରିବେ।