ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ : ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି । କ୍ୟାବିନେଟ ସେକ୍ରେଟାଏଟର ସଚିବ(ସୁରକ୍ଷା) ସୁଧୀର କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏଥିରେ ଆଇବିର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଓ ଏସପିଜି ଆଇ ଏସ.ସୁରେଶ ସଦସ୍ୟ ଅଛନ୍ତି । କେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ହେଲା, ଏଥିପାଇଁ କେଉଁମାନେ ଉତ୍ତରଦାୟୀ ସେ ସମ୍ପର୍କରେ କମିଟି ତଦନ୍ତ କରିବ । ଯଥାଶୀଘ୍ର ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବା ପାଇଁ କମିଟିକୁ କୁହାଯାଇଛି ।

ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା ।

 

 

ସମ୍ବନ୍ଧିତ ଖବର