ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର, କୋଭିଡ ଯୋଦ୍ଧାକୁ ଆମନ୍ତ୍ରଣ କରାଯିବ 

ନୂଆଦିଲ୍ଲୀ : ଆଗକୁ ସ୍ୱାଧୀନତା ଦିବସ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କେତେକ ଗାଇଡଲାଇନ ଜାରି କରିଛି । ମୁଖ୍ୟତଃ  କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏସବୁ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ।

ଜାତୀୟ ସ୍ତରରେ ଲାଲକିଲ୍ଲାରେ ଅନୁଷ୍ଠିତ ହେଉଥିବା ସ୍ୱାଧୀନତା ଦିବସ ସମାରୋହ ଏଥର ସୀମିତ ସଂଖ୍ୟକ ଲୋକମାନଙ୍କୁ ନେଇ ପାଳନ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକଳ ୯ଟା ବେଳେ ଜାତୀୟ ପତାକା ଉତ୍ତୋଳନ କରିବେ ଓ ଜାତୀୟ ସଂଗୀତ ଗାନ କରାଯିବ । ଏଥର କମ ସଂଖ୍ୟକ ଅତିଥିକୁ ନେଇ ଏହି ସମାରୋହ ଆୟୋଜନ କରାଯିବ ।

ସେହିପରି ରାଜ୍ୟସ୍ତରରେ ସକାଳ ୯ଟା ପରେ ମୁଖ୍ୟମନ୍ତ୍ରୀମାନେ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇପାରିବେ । ଜିଲ୍ଲାସ୍ତରରେ ମନ୍ତ୍ରୀ, ଜିଲ୍ଲାପାଳ ପ୍ରଭୃତି ପତାକା ଉତ୍ତୋଳନ କରି ଭାଷଣ ଦେବେ ।

ଏଥରର ସମାରୋହରେ କୋଭିଡ-୧୯ ଯୋଦ୍ଧା ଯେପରିକି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀଙ୍କୁ ଡକାଇ ସେମାନଙ୍କ ସେବାକୁ ସ୍ୱୀକୃତି ଦେବାକୁ  ପରାମର୍ଶ ଦିଆଯାଇଛି ।  ଏହାଛଡ଼ା କରୋନାରୁ ସୁସ୍ଥ ହୋଇଥିବା ମାନଙ୍କୁ ଆମନ୍ତ୍ରିତ କରି ସମ୍ମାନ ଜଣାଇବାକୁ କୁହାଯାଇଛି ।

କରୋନା ପାଇଁ ଯଥାସମ୍ଭବ କମ ଲୋକଙ୍କୁ ନେଇ ଏହି ସମାରୋହ ଆୟୋଜନ କରିବାକୁ ଏହି ଗାଇଡଲାଇନରେ କୁହାଯାଇଛି । ତେବେ ଲୋକମାନେ ଯେପରି ଏହି ସମାରୋହକୁ ଦେଖିପାରିବେ ସେଥିପାଇଁ ଟେଲିଭିଜନ ପ୍ରସାରଣ, ଓ୍ଵବକାଷ୍ଟ କରିବାକୁ କୁହାଯାଇଛି । ସମାରୋହରେ ଯୋଗଦେଉଥିବା ଲୋକମାନେ ସାମାଜିକ ଦୂରତ୍ୱ, ପାଳନ, ମାସ୍କ ଲଗାଇବା, ସାନିଟାଇଜର ଆଦି ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର