କରୋନା କଟକଣା କଡ଼ାକଡ଼ି କରିବାକୁ କହିଲା କେନ୍ଦ୍ର, ସଂକ୍ରମଣ ରୋକିବା ପାଇଁ ‘ଟେଷ୍ଟ-ଟ୍ରାକ୍-ଟ୍ରିଟ୍’ ପ୍ରୋଟୋକଲ୍ ଅନୁସରଣ କରିବେ ରାଜ୍ୟ

ଏପ୍ରିଲ ଗାଇଡଲାଇନ

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିବା ସହ  ହୁ ହୁ ହୋଇ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି  ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଏପ୍ରିଲ ୧-୩୦ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ମୁଖ୍ୟତଃ ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ପ୍ରୋଟୋକଲ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

କରୋନା ପରୀକ୍ଷା ହାର କମ ହେଉଥିବାରୁ ସଂକ୍ରମିତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ମନ୍ଥର ହୋଇଯାଇଛି । ଫଳରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ତାହାକୁ ଆକଳନ କରାଯାଇପାରୁନାହିଁ । ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଅଧିକ ସଂକ୍ରମଣ ପ୍ରବଣ ସ୍ଥାନରେ କରୋନା ପରୀକ୍ଷା ହାର ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧ କରିବା ଏବଂ ଅଧିକ ସଂକ୍ରମିତ ଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି। ସଂକ୍ରମିତକୁ ଚିହ୍ନଟ କରି ରୋଗୀ ଦରକାର କରୁଥିବା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି।

ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ ପ୍ରୋଟୋକଲ ଅନୁସାରେ ସମସ୍ତ ରାଜ୍ୟରେ ପ୍ରଥମେ କରୋନା ଟେଷ୍ଟ ପ୍ରକ୍ରିୟା ତ୍ବରାନ୍ବିତ କରାଯିବ। କରୋନା ପରୀକ୍ଷା ମଧ୍ୟରୁ ୭୦ ପ୍ରତିଶତ ଆରଟିପିସଆର୍ ପରୀକ୍ଷା ହେବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାପରେ ଆକ୍ରାନ୍ତ ବା ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିଂ ତୁରନ୍ତ କରାଯିବ। କେଉଁଠାରୁ ଓ କିପରି ସଂକ୍ରମଣ ହୋଇଛି ତାହା ନିର୍ଦ୍ଧାରଣ ଉପରେ ଗୁରୁତ୍ବ ଦିଆଯିବ। ଏହାପରେ ସଂକ୍ରମିତଙ୍କ ଚିକିତ୍ସାକୁ ମଧ୍ୟ ତତୂଲ୍ୟ ଗୁରୁତ୍ବ ଦେବାକୁ ପ୍ରୋଟୋକଲରେ ଉଲ୍ଲେଖ ରହିଛି। କରୋନା ସହ ଲଢ଼ିବାକୁ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟକ୍ଷେତ୍ରରେ ତଥା ସର୍ବସାଧାରଣ ସ୍ଥାନରେ, ବିଶେଷକରି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ ଉପଯୋଗୀ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଫେସ୍ ମାସ୍କ ପିନ୍ଧିବା, ହାତର ସ୍ୱଚ୍ଛତା ବଜାୟ ରଖିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ କହିବା ସହ ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ଜରିମାନା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର।

ସମ୍ବନ୍ଧିତ ଖବର