ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ପାଇଁ ଏସଓପି ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ଟ୍ରେନ ମାଧ୍ୟମରେ ପ୍ରବାସୀଙ୍କ ପରିବହନ ପାଇଁ ୭-ସୁତ୍ରୀ ଏସଓପି ବା ମାନକ କାର୍ଯ୍ୟବିଧି ଜାରି କରିଛି ।

ଏହି ୭-ସୁତ୍ରୀ ଏସଓପିରେ କୁହାଯାଇଛି ଯେ ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବହନ ପାଇଁ ଭାରତୀୟ ରେଳ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହ ଆଲୋଚନାରେ ଏସବୁ ଟ୍ରେନ ଚଳାଚଳ କରାଯିବ । ଏହି ଟ୍ରେନ ପ୍ରେରଣ କରୁଥିବା ରାଜ୍ୟ ଓ ପହଞ୍ଚୁଥିବା ରାଜ୍ୟ ସରକାରମାନେ ଜଣେ ଜଣେ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତକରିବେ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ଆଗମନ, ଯାତ୍ରା, ରାଜ୍ୟ ସରକାରଙ୍କ ସହ ଆଲୋଚନାରେ ବୁକିଂ, ଟ୍ରେନ ଡବା ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ ଆଦି ପାଇଁ ପ୍ରୋଟୋକଲ ଭାରତୀୟ ରେଳ ପକ୍ଷରୁ ପ୍ରସ୍ତୁତ କରାଯିବ । ସେହିପରି ଯାଞ୍ଚ କରାଯିବା ପରେ କେବଳ ଲକ୍ଷଣହୀନ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଦିଆଯିବ ।

ଯାତ୍ରୀମାନେ ନିଜ ନିଜ ରାଜ୍ୟରେ ପହଞ୍ଚିବା ପରେ ଲାଗୁ ନିୟମାବଳୀ ପାଳନ କରିବେ । ଅର୍ଥାତ ସେମାନେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ନିୟମାନୁସାରେ କ୍ୱାରାଣ୍ଟାଇନରେ ରହିବେ ।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଦେଶରେ ଗତ ଦୁଇ ମାସ ଧରି ଚାଲିଥିବା ଲକଡାଉନକୁ ଆଉ ଦୁଇ ସପ୍ତାହ ଅର୍ଥାତ ୩୧ ମେ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଦେଶରେ କରୋନା ସଂକ୍ରମଣ ମାତ୍ରା ୧ ଲକ୍ଷ ଟପିଯାଇଥିବାରୁ ସରକାର ଲକଡାଉନକୁ କଡ଼କଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି .

ସମ୍ବନ୍ଧିତ ଖବର