ମୋଦୀଙ୍କ ସୁରକ୍ଷା ବିଭ୍ରାଟ : ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଗୃହ ମନ୍ତ୍ରାଳୟ, ଶନିବାର ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବିଭ୍ରାଟର ଦୁଇଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭଟିଣ୍ଡାର ଏସଏସପି (ସିନିୟର ସୁପରିଟେଣ୍ଡେଣ୍ଟ ଅଫ ପୁଲିସ୍)ଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।  ଆସନ୍ତା କାଲି ଅର୍ଥାତ ଶନିବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ।

ଗୃହ ମନ୍ତ୍ରାଳୟର ଉପସଚିବ ଅର୍ଚ୍ଚନା ବର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ବିଭ୍ରାଟ ଦେଖାଦେଇଥିବାରୁ ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସର୍ବ ଭାରତୀୟ ସେବା (ଶୃଙ୍ଖଳା ଓ ଆବେଦନ) ଆଇନ ୧୯୬୯ ଅନୁସାରେ ତାଙ୍କ ବୁରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ସେ ସମ୍ପର୍କରେ ଆସନ୍ତା କାଲି (ଶନିବାର) ସୁଦ୍ଧା ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା ।

 

ସମ୍ବନ୍ଧିତ ଖବର