ଆଜି ‘ଜନଗଣନା’ ଏବଂ ‘ଏନ୍‌ପିଆର୍‌’ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବୈଠକ; ଯୋଗ ଦେବନାହିଁ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଗୃହ ବ୍ୟାପାର ମନ୍ତ୍ରାଳୟ ଜନଗଣନା ଏବଂ ନ୍ୟାସ୍‌ନାଲ୍‌ ପପୁଲେସନ୍‌ ରେଜିଷ୍ଟର୍‌ (ଏନ୍‌ପିଆର୍‌) ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି। ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନେ ଏଥିରେ ଯୋଗ ଦେବେ। ଅମ୍ବେଦକର ଭବନରେ ଆୟୋଜନ କରାଯାଇଥିବା ଏହି ବୈଠକରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଅଧ୍ୟକ୍ଷତା କରିବେ।

‘ଏନ୍‌ପିଆର୍‌’ ସଂକ୍ରାନ୍ତରେ ଜାନୁଆରି ୧୫ ତାରିଖ ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପୁଣି ଥରେ ବିଜ୍ଞପ୍ତି ପଠାଇଥିଲେ। ଏହାକୁ ସ୍ଥଗିତ ରଖାଯାଉ ବୋଲି ପଶ୍ଚିମବଙ୍ଗ ଏବଂ କେରଳ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

Image Source: Hindustan Times

୨୦୨୧ ଲାଗି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ୨୦୨୦ ଏପ୍ରିଲ୍‌ ୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ଯାଏଁ ଚାଲିବ। ଏଥିରେ ପରିବାରର ମୁଖ୍ୟଙ୍କ ନାମ, ଘରେ କେତେଜଣ ବାସ କରୁଛନ୍ତି ଆଦି ତଥ୍ୟ ସହ ଘର ତାଲିକା ରହିବ। ଘର ତାଲିକା ନିମନ୍ତେ ୩୧ଟି ବିଷୟ ଉପରେ ପ୍ରଶ୍ନ ପଚରାଯିବ। ୨୦୨୧ ଫେବ୍ରୁଆରିରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ପ୍ରଶ୍ନ ପଚରାଯିବ। ୨୦୨୧ ଜନଗଣନା ଲାଗି ଘରର ମୁଖ୍ୟଙ୍କ ଲିଙ୍ଗ ସଂକ୍ରାନ୍ତ ପ୍ରଶ୍ନରେ ‘ପୁରୁଷ’ କିଂବା ‘ମହିଳା’ ସହ ‘ତୃତୀୟଲିଙ୍ଗ’ ବା ଟ୍ରାନ୍‌ସ୍‌ଜେଣ୍ଡର୍‌ ଯୋଗ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଜନଗଣନା ଅଭିଯାନ ନିମନ୍ତେ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିୟୋଜନ କରାଯିବ। ପାରିଶ୍ରମିକ ବାବଦରେ ପ୍ରତ୍ୟେକଙ୍କୁ ୨୫, ୦୦୦ ଟଙ୍କା ଲେଖାଏଁ ଦିଆଯିବ। ଗତ ଥର ଗଣନାକାରୀ ଅଫିସର୍‌ଙ୍କୁ ଏଥି ନିମନ୍ତେ ୫, ୫୦୦ ଟଙ୍କା ମିଳିଥିଲା। ଏଥର ଗଣନାକାରୀ ଅଫିସର୍‌ ଘର ତାଲିକା, ଜନଗଣନା ଏବଂ ଏନ୍‌ପିଆର୍‌ କାର୍ଯ୍ୟ କରିବାକୁ ଥିବାରୁ ପାରିଶ୍ରମିକ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର