ନୂଆଦିଲ୍ଲୀ : ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବାବେଳେ କେତେକ ରାଜ୍ୟରେ ତାହାର ଖୁଲମଖୁଲା ଉଲ୍ଲଙ୍ଘନ ଚାଲିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ କ୍ଷୁବଧ ହୋଇଛି । ଲକଡାଉନ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏହି ପତ୍ରରେ କୁହାଯାଇଛି ଲକଡାଉନ ନିୟମାବଳୀକୁ ଠିକଭାବେ ପାଳନ କରାଗଲେ ହିଁ କରୋନା ଭାଇରସକୁ ନିୟନ୍ତ୍ରଣ କରିହେବ । ଏଣୁ ଏହି ନିୟମାବଳୀକୁ ଠିକ ଭାବରେ ପାଳନ କରିବା ନିଶ୍ଚିତ କରାଯିବା ଉଚିତ ।
MHA to States:
Violations of MHA Guidelines being reported at various places.
States/UTs must strictly implement all measures to contain #COVIDー19.
Local authorities must take all necessary steps to enforce the guidelines. #Lockdown4 #IndiaFightsCorona #StayAtHome #staysafe pic.twitter.com/UJHsYxNbuK— Spokesperson, Ministry of Home Affairs (@PIBHomeAffairs) May 21, 2020
ରାଜ୍ୟମାନେ ବିଭିନ୍ନ ଜୋନ ନିର୍ଦ୍ଧାରଣ କରି ସେହି ଅନୁସାରେ ଲକଡାଉନ ନିୟମ ଲାଗୁ କରିବା ଉଚିତ । କିନ୍ତୁ ଥରେ ଜୋନ ଘୋଷଣା ହୋଇଗଲେ ସେଠାରେ ଗୃହ ମନ୍ତ୍ରାଳୟର ଗାଇଡଲାଇନ କଡ଼ାକଡ଼ିଭାବେ ପାଳନ କରାଯିବା ଉଚିତ । କିନ୍ତୁ ରାଜ୍ୟ ସରକାରମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକଡାଉନ କଟକଣାଗୁଡ଼ିକୁ କୋହଳ କରିପାରିବେ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।
କେନ୍ଦ୍ର ସରକାର ଗତ ୧୭ ତାରିଖରେ ଲକଡାଉନ ସମୟସୀମାକୁ ମେ ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲେ । ଏହା ସହିତ କଟକଣା ନିୟମରେ କେତେକ ପରିବର୍ତନ କରାଯାଇଥଲା ।