କରୋନା ଭୂତାଣୁର ମୁକାବିଲା ଲାଗି ମାଇକ୍ରୋ ବାୟୋଲଜି ପ୍ରତି ଆଗ୍ରହ ବଢୁଛି

ନୂଆଦିଲ୍ଲୀ : ବିଶ୍ବରେ ପ୍ଲେଗ୍, ବାର୍ଡ ଫ୍ଲୁ, ସ୍ବାଇନ୍‌ ଫ୍ଲୁ, ନିପା ଓ ସାର୍ସ ପରେ ବର୍ତ୍ତମାନ କରୋନା ଭାଇରସ କାୟା ବିସ୍ତାର କରିଛି। ଏହାର ଭୟାବହତାକୁ ଅନୁମାନ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷିତ କରି ଦେଇଛନ୍ତି। ଏହି ଭୂତାଣୁର ମୁକାବିଲା ତଥା ପାରାମେଡିକାଲ ଜଡ଼ିତ କୋର୍ସ, ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଛି। କେବଳ ସରକାରୀ ସ୍ତରରେ ନୁହେଁ, ଶିକ୍ଷଣ ସଂସ୍ଥାନ ତଥା ଅଭିଭାବକ ମାନେ ମଧ୍ୟ ସଂକ୍ରମଣରୁ ନିସ୍ତାର ପାଇବା ପାଇଁ ମାଇକ୍ରୋ ବାୟୋଲଜି ସମ୍ପର୍କିତ ବିଭିନ୍ନ ନୂତନ ଗବେଷଣା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରଫେସନାଲ ମଧ୍ୟ ଫାର୍ମାସି ତଥା ମାଇକ୍ରୋ ବାୟୋଲଜି ଜଡ଼ିତ କୋର୍ସ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରୁଛନ୍ତି, ଯାହାଦ୍ବାରା ଭବିଷ୍ୟତରେ ଏଭଳି ଅସୁବିଧାରୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ତଥା ପରିବାର ଓ ଦେଶର ରକ୍ଷା ମଧ୍ୟ କରାଯାଇ ପାରିବ।

କରୋନା ଭାଇରସର ପ୍ରକୋପ ଭାରତରେ ଅନୁଭୂତ ହେବା ପରେ ବର୍ତ୍ତମାନ ଏହି ଟ୍ରେଣ୍ଡରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବା ବିଶେଷଜ୍ଞମାନ ମତ ଦେଇଛନ୍ତି। ‌େଯବେଠାରୁ କରୋନା ଭାଇରସର ଆତଙ୍କ ବଢ଼ିଛି; ସେବେଠାରୁ ଇଣ୍ଟରନେଟ୍ ଦ୍ବାରା ନିୟମିତ ରୂପେ ଏହାକୁ ଅଧ୍ୟୟନ କରାଯାଉଛି। ବିଶେଷ କରି ଭାଇରସରୁ ନିଜକୁ ବଞ୍ଚାଇବା ତଥା ଏହା ଉପରେ ବୈଜ୍ଞାନିକ ଗବେଷଣାକୁ ଗୁଗଲ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଆଗାମୀ ଦିନମାନଙ୍କରେ ବାୟୋଲଜିକାଲ ସମସ୍ୟା ହିଁ ଲୋକମାନଙ୍କ ପାଇଁ ଘାତକ ହେବ। ବର୍ତ୍ତମାନଠାରୁ ଦଶମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଡିଏନ୍‌ଏ ଓ ଆର୍‌ଏନ୍‌ଏକୁ ବିଷୟ ରୂପେ ସାମିଲ କାରଯିବାର ଆବଶ୍ୟକତା ରହିଛି। ଯଦି ଡିଏନ୍‌ଏ ଓ ଆର୍‌ଏନ୍‌ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବେ; କୋର୍ସ ଆରମ୍ଭ ହେବା ସହିତ ଛାତ୍ରଛାତ୍ରୀମାନେ ଏ ସମ୍ପର୍କରେ ସୂଚନା ହାସଲ କରିପାରିବେ। ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଏମିତି ଭାଇରସ ଉପରେ ଗବେଷଣା କରି ଔଷଧ ମଧ୍ୟ ପ୍ରସ୍ତୁତ କରିପାରିବେ, ଏତଦ୍ ବ୍ୟତୀତ ଜଟିଳ ପରିସ୍ଥିତିରେ ସହଜରେ ମୁକାବିଲା ମଧ୍ୟ କରିପାରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର