ଅହମଦାବାଦ: ଆମେରିକାର ସେମିକଣ୍ଡକ୍ଟର କମ୍ପାନି ମାଇକ୍ରନ ଭାରତରେ ଏହାର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଗୁଜରାଟର ସାନନ୍ଦଠାରେ କମ୍ପାନି ଏହି କାରଖାନାକୁ ୨.୭୫ ବିଲିଅନ ଡଲାର ( ପ୍ରାୟ ୨୨୫୪୦ କୋଟି ଟଙ୍କା) ମୂଲ୍ୟରେ ସ୍ଥାପନ କରିବ। ଏଠାରେ ଚିପ୍‌ ଆସେମ୍ବଲି ଏବଂ ଟେଷ୍ଟ୍‌, ମାର୍କିଂ ଏବଂ ପ୍ୟାକେଜିଂ ସୁବିଧା ରହିବ। ସାନନ୍ଦସ୍ଥିତ ଗୁଜରାଟ ଶିଳ୍ପ ବିକାଶ ନିଗମ-୨ର ଶିଳ୍ପାଞ୍ଚଳରେ ୯୩ ଏକର ପରିମିତ ଜମିରେ ଏହି କାରଖାନା ହେବ। ୧୮ ମାସ ମଧ୍ୟରେ କାରଖାନା ଉତ୍ପାଦନକ୍ଷମ ହେବ ବୋଲି ଆଶା ରଖାଯାଇଛି।

Advertisment

ଉକ୍ତ କାରଖାନା ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବ। କମ୍ପାନି ୮୭୫ ନିୟୁତ ଡଲାର ନିବେଶ କରିବ ଏବଂ ଅବିଶିଷ୍ଟ ରାଶି କେନ୍ଦ୍ର ଓ ରାଜ୍ୟ ସରକାର ନିବେଶ କରିବେ। ଏହାଦ୍ବାରା ଆସନ୍ତା ୫ ବର୍ଷରେ ପ୍ରାୟ ୫ ହଜାର ପ୍ରତ୍ୟକ୍ଷ ଏବଂ ୧୫ ହଜାରରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାଇକ୍ରନ ଏହାର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ କେନ୍ଦ୍ର ସ୍ଥାପନ ପାଇଁ ଟାଟା ପ୍ରୋଜେକ୍ଟସକୁ ଚୟନ କରିଛି। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାରଖାନା ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏବଂ ପ୍ରଥମ ଚିପ୍‌ ଏଠାରେ ୨୦୨୫ ପ୍ରଥମ ତ୍ରୟମାସରେ ଉତ୍ପାଦନ ହେବା ଆଶା ରଖାଯାଇଛି। ମାଇକ୍ରନ ସହିତ ରାଜିନାମା ସ୍ବାକ୍ଷର ହେବାର ୯୦ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି। ଭାରତରେ ସେମିକଣ୍ଡକ୍ଟରର ଚାହିଦା ଏବେ ୨ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଗାମୀ ଦିନରେ ଏହା ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।