ମଝି ଆକାଶରେ ବର୍ତ୍ତିଲା ଭୁବନେଶ୍ୱର ବିମାନ

୨ ଇଣ୍ଡିଗୋ ବିମାନ ମୁହାଁମୁହିଁ ଅବସ୍ଥାକୁ ଆସିଥିଲେ
ରାଡାର କଂଟ୍ରୋଲରଙ୍କ ଯୋଗୁଁ ଦୁର୍ଘଟଣା ଟଳିଲା
ବିମାନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ

ନୂଆଦିଲ୍ଲୀ : ବେଙ୍ଗାଲୁରୁର ମଝି ଆକାଶରେ ଇଣ୍ଡିଗୋର ଦୁଇଟି ବିମାନ (୩୨୦ ଏୟାରବସ୍) ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତିଯାଇଛନ୍ତି। ଗୋଟିଏ ବିମାନ ବେଙ୍ଗାଲୁରୁରୁ ଭୁବନେଶ୍ବର ଆସୁଥିବା ବେଳେ ଅନ୍ୟ ବିମାନଟି କୋଲକାତା ଯାଉଥିଲା। ଉଭୟ ବିମାନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଦୁଇଟି ବିମାନ ବେଙ୍ଗାଲୁରୁ ବିମାନବନ୍ଦରର ଦୁଇଟି ସମାନ୍ତରାଳ ରନୱେରୁ ଗୋଟିଏ ସମୟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଥିଲେ। ତେବେ ରାଡାର କଂଟ୍ରୋଲରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ଗତ ୭ ତାରିଖରେ ହୋଇଥିବା ଏହି ଦୁର୍ଭାଗ୍ୟଜନକ ଘଟଣାର ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ନିର୍ଦେଶ ଦେଇଛନ୍ତି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ତ୍ରୁଟି ସେତିକିରେ ସୀମିତ ନଥିଲା। ଘଟଣାକୁ ଚପାଇ ଦେଇ ଦଣ୍ଡ ଏବଂ ତଦନ୍ତରୁ ବର୍ତ୍ତିବା ପାଇଁ ପ୍ରାଧିକରଣ ଅଧିକାରୀଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି। ଡିଜିସିଏକୁ ଏ ସଂପର୍କରେ ସୂଚନା ନଦେବା ପାଇଁ ପ୍ରୟାସ କରିଥିବା ଅଭିଯୋଗ କରାଯାଉଛି। ଡିଜିସିଏ ମୁଖ୍ୟ ଅରୁଣ କୁମାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ବେଙ୍ଗାଲୁରୁ କେମ୍ପାଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇଟି ରନୱେ (ସାଉଥ୍ ରନୱେ ଏବଂ ନର୍ଥ ରନୱେ) ରହିଛି। ୭ ତାରିଖ ଦିନ ସକାଳେ ବିମାନ ଉଡ଼ାଣ ପାଇଁ ନର୍ଥ ରନୱେ ବ୍ୟବହୃତ ହେଉଥିବା ବେଳେ ଅବତରଣ ଲାଗି ସାଉଥ୍ ରନ‌ୱେର ବ୍ୟବହାର କରାଯାଉଥିଲା। କିନ୍ତୁ ରନୱେ ଅପରେସନସର ସିଫଟ୍ ଇନଚାର୍ଜ ପୂର୍ବାହ୍ନରେ ଦାୟିତ୍ବ ଗ୍ରହଣ କରିବା ପରେ କେବଳ ନର୍ଥ ରନୱେ ବ୍ୟବହାର କରିବା ସହିତ ସାଉଥ୍ ରନୱେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ନିଷ୍ପତ୍ତି ସେ ସାଉଥ୍ ରନୱେର ଟ୍ରାଫିକ କଂଟ୍ରୋଲରଙ୍କୁ ଜଣାଇନଥିଲେ।

ଫଳରେ ଯେଉଁ ସମୟରେ ନର୍ଥ ରନୱେରେ ଭୁବନେଶ୍ବର ବିମାନ (୬ନ ୨୪୬)କୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା, ଠିକ୍ ସେହି ସମୟରେ ସାଉଥ୍ ରନୱେରେ କୋଲକାତା ବିମାନ (୬ଇ ୪୫୫)କୁ ମଧ୍ୟ ଉଡ଼ାଣ ପାଇଁ ଅନୁମତି ମିଳିଥିଲା। ଉଭୟ ଟାୱାର ଦାୟିତ୍ବରେ ଥିବା କଂଟ୍ରୋଲରମାନେ ପରସ୍ପରକୁ ଏସଂପର୍କରେ ସୂଚନା ଦେଇନଥିଲେ। ଉଭୟ ବିମାନ ଏକ ସମୟରେ ଉଡ଼ାଣ (ଟେକ୍ ଅଫ୍) ଆରମ୍ଭ କରିଥିଲେ। ସମାନ୍ତରାଳ ଭାବେ ଉଡ଼ାଣ ଆରମ୍ଭ କରିବା ସହିତ ଉଭୟ ବିମାନ ସାମ୍ନାସାମ୍ନି ମାଡ଼ି ଆସିଥିଲେ। ତେବେ ଆପ୍ରୋଚ ରାଡାର କଣ୍ଟ୍ରୋଲର ଉଭୟ ବିମାନକୁ ପରସ୍ପରଠାରୁ ଦୂରେଇ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆକାଶରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା ବୋଲି ଡିଜିସିଏର ଜଣେ ଅଧିକାରୀ କହିଛନ୍ତି।

ବିମାନ ଦୁଇଟି ୩୦୦୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଠିବା ଯାଏ ପାଖାପାଖି ଉଡ଼ୁଥିଲେ। ପାଇଲଟମାନେ ମଧ୍ୟ ଏହି ବିପଦ ସଂପର୍କରେ ଜାଣି ପାରି ନଥିଲେ। ସୌଭାଗ୍ୟବଶତଃ ବିମାନ ବନ୍ଦର ଭିତରେ କାର୍ଯ୍ୟରତ ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ (୪୨) ଏହାକୁ ଠିକ୍‌ ସମୟରେ ଦେଖିପାରି ଦୁଇ ବିମାନର ପାଇଲଟଙ୍କୁ ସତର୍କ କରାଇ ଦେଇଥିଲେ। କୋଲକାତାକୁ ଉଡ଼ାଣ କରୁଥିବା ବିମାନଟି ବାମକୁ ଏବଂ ଭୁବନେଶ୍ବରକୁ ଉଡ଼ାଣ କରୁଥିବା ବିମାନଟି ଡାହାଣକୁ ଦିଗ ପରିବର୍ତ୍ତନ କରି ପରସ୍ପରଠାରୁ ଦୂରେଇ ଯାଇଥିଲେ।

ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣାକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ବିମାନସେବା ସୁରକ୍ଷା ବିଶେଷଜ୍ଞ କ୍ୟାପଟେନ ମୋହନ ରଙ୍ଗନାଥନ। ସମାନ୍ତାରାଳ ରନୱେ ଉଡ଼ାଣ କିମ୍ବା ଅବତରଣ ଭାରତରେ ଅନୁମତି ଦିଆଯାଏ ନାହିଁ। ଯଦି ତାହା କରାଯାଏ ତାହେଲେ ଗୋଟିଏ ପରେ ଗୋଟିଏ ବିମାନର ଉଡ଼ାଣ ‌କିମ୍ବା ଅବତରଣ ହେବା ଆବଶ୍ୟକ। ତେବେ ରାଡାର ‌କଣ୍ଟ୍ରୋଲର ଏହାକୁ ଜାଣିପାରିବା ନିଶ୍ଚିତଭାବେ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି। କିନ୍ତୁ ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଭୁବନେଶ୍ବର ଆସୁଥିବା ବିମାନରେ ୨୩୮ ଜଣ ଯାତ୍ରୀ ଏବଂ ୬ ଜଣ କର୍ମଚାରୀ ଥିବା ବେଳେ କୋଲକାତା ବିମାନରେ ୧୭୬ ଜଣ ଯାତ୍ରୀ ଏବଂ ୬ ଜଣ କର୍ମଚାରୀ ଥିଲେ। ଉଭୟ ବିମାନରେ ମୋଟତ ୪୨୬ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ।

ସମ୍ବନ୍ଧିତ ଖବର