ଟୋକିଓ: ସୋମବାର ସାଂଘାଇରୁ ଟୋକିଓ ଯାଉଥିବା ସ୍ପ୍ରିଙ୍ଗ ଏୟାର୍ଲାଇନ୍ସର ବିମାନରେ ମଝି ଆକାଶରେ ଆତଙ୍କ ଦେଖାଦେଇଥିଲା। ବିସ୍ଫୋରଣ ପରି ଏକ ବିରାଟ ଶବ୍ଦ କରି ବିମାନଟି ହଠାତ୍ ୨୬,୦୦୦ ଫୁଟ୍ ତଳକୁ ଖସିଆସିଥିଲା। ଦୁର୍ଘଟଣା ଘଟିବା ଓ ନିଶ୍ଚିତ ମୃତ୍ୟୁ ଆଶଙ୍କାରେ କିଛି ଯାତ୍ରୀ ଇଚ୍ଛାପତ୍ର ଲେଖି ବ୍ୟାଙ୍କ ପିନ୍ ସେୟାର୍ କରିଥିବା ଜଣାପଡ଼ିଛି। ତେବେ ପାଇଲଟ୍ମାନେ ସୁରକ୍ଷିତ ଭାବେ ବିମାନର ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ। ବିମାନଟି ସାଂଘାଇ ପୁଡୋଙ୍ଗ ବିମାନବନ୍ଦରରୁ ଉଡ଼ାଣ ଭରି ନାରିତା ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ୧୯୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ୧୦ ମିନିଟ୍ ମଧ୍ୟରେ ୩୬,୦୦୦ ଫୁଟ୍ରୁ ୧୦,୫୦୦ ଫୁଟ୍ ତଳକୁ ଖସିବାକୁ ବାଧ୍ୟ ହୋଇଥିଲା।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ପ୍ରାୟ ସମସ୍ତ ଯାତ୍ରୀ ଅକ୍ସିଜେନ୍ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବା ପରେ ଶେଷରେ ବିମାନଟିକୁ ଜାପାନର ଓସାକାସ୍ଥିତ କାନସାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ଭୟର ମୁହୂର୍ତ୍ତକୁ ମନେ ପକାଇ ଜଣେ ଯାତ୍ରୀ କହିଛନ୍ତି, ମୁଁ ଏକ ବିସ୍ଫୋରଣର ଶବ୍ଦ ଶୁଣିଲି ଏବଂ କିଛି ସେକେଣ୍ଡ ମଧ୍ୟରେ ଅକ୍ସିଜେନ୍ ମାସ୍କ ଖସିଥିଲା। ବିମାନଟିରେ ତ୍ରୁଟି ଥିବା କହି କର୍ମଚାରୀମାନେ ଅକ୍ସିଜେନ୍ ମାସ୍କ ପିନ୍ଧିବାକୁ ଚିତ୍କାର କରିଥିଲେ। ଅନ୍ୟ କିଛି ଯାତ୍ରୀ ତରବରିଆ ଭାବରେ ସେମାନଙ୍କର ଇଚ୍ଛାପତ୍ର ଲେଖିବା ସହ ସେମାନଙ୍କ ବୀମା ବିବରଣୀ ଓ ବ୍ୟାଙ୍କ କାର୍ଡ ପିନ୍ ଲେଖି ସେୟାର୍ କରିଥିଲେ। ଏୟାର୍ଲାଇନ୍ସ ଏହି ଘଟଣାର କ୍ଷତିପୂରଣ ଭାବରେ ୧୫,୦୦୦ ୟେନ୍ (ପ୍ରାୟ ୧୦୪ ଡଲାର) ଏବଂ ଏକ ରାତି ରହଣି ଯୋଗାଇ ଦେଇଥିଲା। ଘଟଣାର ତଦନ୍ତ ଚାଲିଛି। ସମସ୍ତ ୧୯୧ ଜଣ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି।