ଉତ୍ତରପ୍ରଦେଶ: ମଧ୍ୟାହ୍ନ ଭୋଜନରେ ରୁଟି, ଲୁଣ

ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶର ଏକ ସ୍କୁଲ୍‌ରେ ପିଲାମାନଙ୍କୁ ରୁଟି ଓ ଲୁଣ ଖାଇବାକୁ ଦିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସ‌ାରିତ ହୋଇଥିଲା। ତେବେ ଯେଉଁ ସାମ୍ବାଦିକ ଏହ‌ି ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ଏହି ଘଟଣାକୁ ସର୍ବସମ୍ମୁଖକୁ ଆଣିଥିଲେ ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶ ସରକାରଙ୍କୁ ତିରସ୍କାର କରିଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଗାଁ ମୁଖିଆଙ୍କର ଜଣେ ପ୍ରତିନିଧି ମଧ୍ୟ ଉକ୍ତ ମାମଲାରେ ଗିରଫ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ଉକ୍ତ ଘଟଣା ପାଇଁ ଏବେ ୟୁପି ସରକାରଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏନ୍‌ଏଚ୍‌ଆରସି ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କୁ ନୋଟିସ୍‌ କରିଛି। ଅନ୍ୟପକ୍ଷେ ମିର୍ଜାପୁରର ବରି‌ଷ୍ଠ ସରକାରୀ ଅଧିକାରୀ ଅନୁରାଗ ପଟେଲ ଉକ୍ତ ଘଟଣାରେ ପ୍ରଥ‌ମେ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଏବେ ଦାବି କରିଛନ୍ତି ଯେ ସାମ୍ବାଦିକ ଜଣକ ଜାଣିଶୁଣି ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ଏବଂ ଏହା ମିଛ ବୋଲି ପଟେଲ୍‌ କହିଛନ୍ତି। ତେବେ ସାମ୍ବାଦିକଙ୍କ ବିରୋଧରେ ମାମଲାକୁ ବିରୋଧ କରି ୧୦୦ରୁ ଅଧିକ ସାମ୍ବାଦିକ ଆଜି ମିର୍ଜାପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଆନ୍ଦୋଳନ କରିଥିଲେ।

ମିର୍ଜାପୁର ଜିଲ୍ଲାର ଜାମଲପୁର ବ୍ଲକ୍‌ ଅଧୀନସ୍ଥ ସିୟୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଦିଆଯାଇଥିବା ଭିଡିଓ ଗତ ଅଗଷ୍ଟ ୨୨ ତାରିଖରେ ପ୍ରସାରିତ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ୨ ଜଣ ଶିକ୍ଷକ ନିଲମ୍ବିତ ହୋଇଥିଲେ। ସ୍ଥାନୀୟ ହିନ୍ଦୀ ଦୈନିକ ଖବରକାଗଜ ‘ ଜନସନ୍ଦେଶ ଟାଇମ୍ସ’ ପାଇଁ କାର୍ଯ୍ୟ କରୁଥିବା ପୱନ ଜୈସ୍ବାଲ୍‌ ନାମକ ଜଣେ ସାମ୍ବା‌ଦିକ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ସ୍କୁଲ୍‌ ଯାଉଥିବା ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଜନା ଅନ୍ତର୍ଗତ ଡାଲି, ଭାତ, ରୁଟି, ବିଭିନ୍ନ ପନିପରିବା ତରକାରୀ ଏବଂ କ୍ଷୀର ଦିଆଯାଉଛି। ପ୍ରତି ଶିଶୁ ପାଇଁ କ୍ୟାଲୋରି ହିସାବରେ ଏହି ଯୋଜନା କରାଯାଇଛି। ଖାଦ୍ୟରେ ପ୍ରତିଦିନ ୧୨ ଗ୍ରାମ୍‌ ପ୍ରୋଟିନ୍‌ ରହିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। କିନ୍ତୁ ଅନେକ ରାଜ୍ୟରେ ଏହି ଯୋଜନା ବିଫଳ ହୋଇଛି। କୋଲକାତାରେ ମଧ୍ୟ ଗତ କିଛିଦିନ ତଳେ ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଭାତ ଓ ଲୁଣ ଖାଇବାକୁ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଉତ୍ତରପ୍ର‌ଦେଶରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଏଭଳି ଅନେକ ନଜିର ରହିଛି। ୨୦୧୬‌ ମସିହାର ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ଉତ୍ତରପ୍ରଦେଶର ଅନେକ ସ୍କୁଲ୍‌ର ରୋଷଶାଳାରେ କବାଟ ନାହିଁ, ଆଲୋକ ନାହିଁ, ବାୟୁ ଚଳାଚଳ ପାଇଁ ସଠିକ୍‌ ବ୍ୟବସ୍ଥା ନାହିଁ। ରାଜ୍ୟର ପ୍ରାୟ ୪୨ ପ୍ରତିଶତ ସ୍କୁଲ୍‌ରେ ରୋଷେଇ ପାଇଁ ଏଲ୍‌ପିଜି ସଂଯୋଗ ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର