ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ ଭାରତୀୟମାନେ ଇରାକ୍‌ ଯାଆନ୍ତୁ ନାହିଁ ବୋଲି ବୁଧବାର ଦିନ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଭାରତୀୟମାନଙ୍କୁ ପରାମର୍ଶ ଦେଇ ଟୁଇଟ୍‌ କରିଛନ୍ତି ଯେ ସମ୍ପ୍ରତି ଇରାକ୍‌ରେ ଉପୁଜିଥିବା ପରିସ୍ଥିତି ଦୃଷ୍ଟିରୁ, ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ଯାଏଁ, କୌଣସି ଜରୁରୀ କାମ ନ ଥିଲେ ଭାରତୀୟମାନେ ସେଠାକୁ ଯାଆନ୍ତୁ ନାହିଁ। ଇରାକ୍‌ରେ ବସବାସ କରୁଥିବା ଭାରତୀୟ ନାଗରିକମାନଙ୍କୁ କୁହାଯାଇଛି କି, ସେମାନେ ସତର୍କ ରହିବା ସହ ଇରାକ୍‌ ମଧ୍ୟରେ ବି କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ।

publive-image Image Source: Daily Hunt

ସେ ଆହୁରି କହିଛନ୍ତି ଯେ ଇରାକ୍‌ରେ ବସବାସ କରୁଥିବା ଭାରତୀୟମାନଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ଇରାକ୍‌ସ୍ଥିତ ଆମର ଦୂତାବାସ ଓ ଏର୍ବିଲ୍‌ସ୍ଥିତ କନ୍‌ସୁଲେଟ୍‌ ସ୍ୱାଭାବିକ ଭାବେ କାମ କରିବ।

ଉତ୍ତେଜନାମୟ ପରିସ୍ଥିତି ଉପୁଜି ଥିବାରୁ ଇରାନ୍‌, ଇରାକ୍‌ ଏବଂ ଉପସାଗରୀୟ ଅଞ୍ଚଳର ଆକାଶ ପଥ ଏଡ଼ାଇବାକୁ ସମସ୍ତ ଭାରତୀୟ ବିମାନ ଚଳାଚଳ ସଂସ୍ଥାକୁ ସରକାର ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମହାନିର୍ଦେଶ ଟୁଇଟ୍‌ କରିଛନ୍ତି: ଆମେ ସମ୍ପୃକ୍ତ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ସହ ବୈଠକ କରି ସତର୍କ ରହିବା ସହ ସବୁ ପ୍ରକାରର ସାବଧାନତା ଅବଲମ୍ବନ କରିବାକୁ କହିଛୁ।