ରାତି ଅଧରେ ମୁମ୍ବାଇର ଆରେ କଲୋନିରେ ଗଛ କଟା ଆରମ୍ଭ

ନୂଆଦିଲ୍ଲୀ: ମେଟ୍ରୋ କାର୍‌ ସେଡ୍‌ ନିର୍ମାଣ ନିମନ୍ତେ ଉତ୍ତର ମୁମ୍ବାଇର ଆରେ କଲୋନିରେ ଗଛ କଟାକୁ ବିରୋଧ କରି ସମାଜିକକର୍ମୀ ଜୋରୁ ଭାଥେନା ଫାଇଲ୍‌ କରିଥିବା ପିଟିସନ୍‌କୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ରାତି ଅଧରେ କର୍ତ୍ତୃପକ୍ଷମାନେ ଗଛକାଟିବା ଆରମ୍ଭ କରିଛନ୍ତି ବୋଲି ସାମାଜିକକର୍ମୀମାନେ ଅଭିଯୋଗ କରିଛନ୍ତି। ହଣା ଯିବାକୁ ଥିବା ସମୁଦାୟ ୨୬୦୦ ଗଛରୁ ୨୦୦ ଗଛ ଶୁକ୍ରବାର ରାତିରେ କଟା ସରିଥିବା କଥା ସେମାନେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ସାମାଜିକକର୍ମୀମାନଙ୍କ କହିବାନୁସାରେ, ପରିବେଶବିତ୍‌ ଏବଂ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨୦୦ ଗଛ ହଣା ସରିଥିଲା। କର୍ତ୍ତୃପକ୍ଷମାନଙ୍କୁ ଗଛକଟାରୁ ବିରତ କରିବାକୁ ବେରିକେଡ୍‌ ଭାଙ୍ଗି ସାମାଜିକକର୍ମୀମାନେ ଆରେ କଲୋନିର ପିକ୍‌ନିକ୍‌ ପଏଣ୍ଟ୍‌ରେ ପହଞ୍ଚିବା ପରେ ପୁଲିସ ଆସି କେତେକ ପ୍ରତିବାଦକାରୀଙ୍କୁ ଅଟକ ରଖିଛି।

Image Source: India Today

ଜଣେ ପ୍ରତିବାଦକାରୀ କହିଛନ୍ତି: ପ୍ରତିବାଦ ସ୍ଥଳରେ କେତେକ ଆଦିବାସୀଙ୍କ ସମେତ ପୁଲିସ ଲୋକମାନଙ୍କୁ ପିଟୁଛି। ଭିତରେ ବସିଥିବା ଆଦିବାସୀ ଝିଅମାନେ ଉଠିବାକୁ ନାରାଜ। ଆମେ ସମସ୍ତେ ପୁଲିସ କାର୍‌ ଭିତରେ ଅଛୁ। ପୁଲିସ ଲୋକମାନଙ୍କୁ ଅଟକ ରଖିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଥିବା ଥାନାକୁ ନେଇଛନ୍ତି।

ଏହି ମାମଲାରେ କେତେକ ଟୁଇଟର୍‌ ବ୍ୟବହାରକାରୀ ଦେବେନ୍ଦ୍ର ଫଡ଼ନବୀଶ ସରକାର ଏବଂ ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌ଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର