ପାକିସ୍ତାନରେ ମଧ୍ୟରାତ୍ରି ନାଟକ: ମୁହାଁମୁହିଁ ହୋଇଥିଲେ ଇମ୍ରାନ-ବାଜୱା

ବାଜୱାଙ୍କୁ ହଟାଇବାକୁ ଉଦ୍ୟମ କରିଥିଲେ ଇମ୍ରାନ, ସେନାର ଧମକ ପରେ ନରମିଥିଲେ ଇମ୍ରାନ୍

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ ସରକାରକୁ ହଟାଇବା ଲାଗି ଗତକାଲି ମଧ୍ୟରାତିରେ ଇସଲାମାବାଦରେ ଯେଉଁ ନାଟକ ଦେଖିବାକୁ ମିଳିଲା ସେଥିରେ ସୁପ୍ରିମ କୋର୍ଟ ଏବଂ ସଂସଦର ତ ଭୂମିକା ଥିଲା। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଦେଶର ଶକ୍ତିଶାଳୀ ସେନା। ସେନା ହସ୍ତକ୍ଷେପ କରିନଥିଲେ ଶାନ୍ତିପୂର୍ଣ୍ଣ ଉପାୟରେ ସତ୍ତା ପରିବର୍ତ୍ତନ ସମ୍ଭବ ହୋଇନଥାନ୍ତା। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏଥିରେ ପ୍ରମୁଖ ଭୂମିକା ନେଇଥିବା ଖବର ଏବେ ସାମ୍ନାକୁ ଆସିଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଅନାସ୍ଥା ଭୋଟ୍‌ କାର୍ଯ୍ୟକାରୀ କରାଇ ନଦେବା ଜିଦରେ ଅଟଳ ଥିଲେ ଇମ୍ରାନ୍। ଇମ୍ରାନଙ୍କ ସମର୍ଥକ ମଧ୍ୟ ରାସ୍ତା ଉପରକୁ ଓହ୍ଲାଇ ଆସିଥିଲେ। ପରିସ୍ଥିତି ବିଗୁଡୁଥିବା ଦେଖି ଜେନେରାଲ ବାଜୱା ଏବଂ ଆଇଏସ୍‌ଆଇ ମୁଖ୍ୟ ନଦୀମ ଅଞ୍ଜୁମ ଏକ ହେଲିକପ୍‌ଟରରେ ଇମ୍ରାନ୍‌ଙ୍କ ବାସଭବନରେ ରାତି ୧୦ଟାରେ ପହଞ୍ଚିଥିଲେ। ରାତି ୧୨ଟା ପୂର୍ବରୁ ଯେ କୌଣସି ସ୍ଥିତିରେ ବି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କଲେ ପରିଣାମ ଭୋଗିବାକୁ ମଧ୍ୟ ଇମ୍ରାନ୍‌ଙ୍କୁ ବାଜୱା ଚେତାଇ ଦେଇଥିଲେ। ଏହାକୁ ନେଇ ଦେଶରେ ଯଦି ଦଙ୍ଗା ସୃଷ୍ଟି ହେବ ତା’ହେଲେ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ବାଜୱା ଇମ୍ରାନ୍‌ଙ୍କୁ ଚେତାବନୀ ଦେବାପରେ ଖେଳ ବଦଳି ଯାଇଥିଲା। ସଂସଦ ବାଚସ୍ପତି ଏବଂ ଉପବାଚସ୍ପତି ଇସ୍ତଫା ଦେବା ପରେ ଭୋଟ୍‌ ଗ୍ରହଣ ପାଇଁ କାମଚଳା ବାଚସ୍ପତି ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଭୋଟ୍ ଗ୍ରହଣ କରାଯାଇଥିଲା।

ତେବେ ବାଜୱା ଭେଟିବା ପୂର୍ବରୁ ଇମ୍ରାନ୍‌ଙ୍କ ଯୋଜନା ଭିନ୍ନ ଥିଲା। ସେନା ତାଙ୍କୁ ସମର୍ଥନ କରୁନଥିବାରୁ ଜେନେରାଲ ବାଜୱାଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବାକୁ ସେ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ବାବଦ କୌଣସି ନୋଟିସ୍ ଜାରି କଲାନାହିଁ। ଏହି ଖବର ମିଳିବା ପରେ ଜେନେରାଲ ବାଜୱା ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟ‌ଲିଜେନ୍ସ (ଆଇଏସ୍‌ଆଇ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ ଖାନ୍‌ ମଧ୍ୟରେ ଏକ ବୈଠକ ହୋଇଥିଲା। ଇମ୍ରାନ୍‌ଙ୍କ ଅଭିପ୍ରାୟ ସଂପର୍କରେ ଜାଣିପାରି ଉଭୟେ ତାଙ୍କୁ ଭେଟିବାକୁ ଯାଇଥିଲେ ଏବଂ ପାକିସ୍ତାନର କ୍ଷମତାଶାଳୀ ସେନାମୁଖ୍ୟଙ୍କ ଆଗରେ ଇମ୍ରାନ୍‌ଙ୍କ ରଣନୀତି କାମ ଦେଇନଥିଲା।

ବିବିସି ଉର୍ଦ୍ଦୁର ରିପୋର୍ଟ ଅନୁସାରେ ଅନାସ୍ଥା ଭୋଟ୍‌ର ପ୍ରାୟ ୨ ଘଣ୍ଟା ପୂର୍ବରୁ ଇମ୍ରାନ୍ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଅଧସ୍ତନଙ୍କୁ ନିଯୁକ୍ତି ଦେବା ପାଇଁ ଆଦେଶ ଦେଇଥିଲେ, ଯିଏ କି ତାଙ୍କ ସହ ବୈଠକରେ ଉପସ୍ଥିତ ଥିଲେ। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଇମ୍ରାନ୍‌ଙ୍କ ଆଦେଶ ସମ୍ବଳିତ ଏହି ନୋଟିସ୍ ଇସ୍ୟୁ କରି ନ ଥିଲା। ‌ହେଲିକପ୍ଟର ଆସିବ ବୋଲି ଆଶା କରୁଥିଲେ ଇମ୍ରାନ। ଭାବିଥିଲେ ଏଥିରେ ତାଙ୍କ ଦ୍ବାରା ନବନିଯୁକ୍ତ ‌ଅଧିକାରୀ ଆସିବେ। ବାଜୱାଙ୍କୁ ଗାଦିଚ୍ୟୁତ କରିଦେଲେ ନୂଆ ସେନାଧ୍ୟକ୍ଷଙ୍କ ମାଧ୍ୟମରେ ସେ ଅନାସ୍ଥା ଭୋଟକୁ ଟାଳି ଗାଦିକୁ ସୁରକ୍ଷିତ ରଖିପାରିବେ। କିନ୍ତୁ ସେମିତି କିଛି ହେଲା ନାହିଁ ଏବଂ ହେଲିକପଟରରେ ଜେନେରାଲ ବାଜୱା ଯାଇ ଇମ୍ରାନ୍‌ଙ୍କ ବାସଭବନରେ ପହଞ୍ଚିଗଲେ। ମିଳିଥିବା ସୂଚନା ଅନୁଯାୟୀ ବାଜୱାଙ୍କୁ ପଦଚ୍ୟୁତ କରିବା ପାଇଁ ଇମ୍ରାନ୍‌ଙ୍କ ଆଦେଶନାମାକୁ ଅକାମୀ କରିବା ଲାଗି ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମଧ୍ୟ ପ୍ରସ୍ତୁତି ସରିଥିଲା। ଆଦନାନ୍ ଇକବାଲ ନାମକ ଜଣେ ଓକିଲ ଇମ୍ରାନ୍ ସରକାରଙ୍କ ଦ୍ବାରା ସମ୍ଭାବ୍ୟ ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଇସଲାମାବାଦ ହାଇକୋର୍ଟରେ ଏକ ଜରୁରୀ ପିଟିସନ ଦାଏର କରିଥିଲେ। ଏହାପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଥାର ମିନାଲ୍ଲାହ ଶନିବାର ରାତି ୧୦ଟାବେଳେ କୋର୍ଟରେ ପହଞ୍ଚିଥିଲେ। ଏଥିପାଇଁ ସୁପ୍ରିମ କୋର୍ଟ ମଧ୍ୟ ଖୋଲାଥିଲା।

ସମ୍ବନ୍ଧିତ ଖବର