ଚଣ୍ଡୀଗଡ଼: କିମ୍ବଦନ୍ତି ଜେଟ୍ ମିଗ୍-୨୧ ଯୁଦ୍ଧ ବିମାନକୁ ଭାରତ ଅବସର ଦେଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର କହିଛନ୍ତି ଯେ, ମିଗ୍-୨୧ କେବଳ ଏକ ବିମାନ ନୁହେଁ ବରଂ ଭାରତ ଓ ରୁଷ୍ ମଧ୍ୟରେ ଥିବା ଗଭୀର ସମ୍ପର୍କର ଏକ ଜ୍ୱଳନ୍ତ ଉଦାହରଣ। ସେ ଏହାକୁ ଏକ ‘ଶକ୍ତିଶାଳୀ ଯନ୍ତ୍ର, ଜାତୀୟ ଗର୍ବ ଓ ପ୍ରତିରକ୍ଷା ଢାଲ’ ଭାବରେ ପ୍ରଶଂସା କରିଛନ୍ତି ଯାହା ଦେଶର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ଏବଂ ବାୟୁ ଯୋଦ୍ଧାଙ୍କ ପିଢିକୁ ପ୍ରେରଣା ଦେଇଛି। ଏହା ସହିତ ଆମର ଗଭୀର ସମ୍ପର୍କ ରହିଛି। ଦୀର୍ଘ ଦିନ ଧରି ମିଗ୍-୨୧ ଅନେକ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ସାକ୍ଷୀ ରହିଛି। ଏହାର ଅବଦାନ କେବଳ ଗୋଟିଏ ଘଟଣା କିମ୍ବା ଗୋଟିଏ ଯୁଦ୍ଧରେ ସୀମିତ ନୁହେଁ ବୋଲି ସିଂହ ଚଣ୍ଡୀଗଡ଼ ବାୟୁସେନା ଷ୍ଟେସନରେ ବିମାନର ଡିକମିସନିଂ ସମାରୋହରେ କହିଛନ୍ତି।
୧୯୭୧ ଯୁଦ୍ଧ, କାର୍ଗିଲ ଯୁଦ୍ଧ, ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୂରରେ ଏହାର ଭୂମିକାକୁ ମନେ ପକାଇ ରାଜନାଥ କହିଛନ୍ତି, ୧୯୭୧ ଯୁଦ୍ଧକୁ କିଏ ଭୁଲି ପାରିବ? ପାକିସ୍ତାନ ସହିତ ଯୁଦ୍ଧ ସମୟରେ, ପ୍ରତିକୂଳ ପରିସ୍ଥିତିରେ, ମିଗ୍-୨୧ ଢାକାରେ ଥିବା ରାଜ୍ୟପାଳଙ୍କ ଭବନ ଉପରେ ଆକ୍ରମଣ କରିଥିଲା ଏବଂ ସେହି ଦିନ ଏହା ସେହି ଯୁଦ୍ଧର ଫଳାଫଳ ଚୂଡ଼ାନ୍ତ କରିଥିଲା। ଏହା ବ୍ୟତୀତ, ଏହାର ଦୀର୍ଘ ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯେତେବେଳେ ମିଗ୍-୨୧ ଏହାର ନିର୍ଣ୍ଣାୟକ କ୍ଷମତାକୁ ପ୍ରମାଣିତ କରିଛି। ଯେତେବେଳେ ବି ଐତିହାସିକ ଅଭିଯାନ ହୋଇଛି, ପ୍ରତ୍ୟେକ ଥର ମିଗ୍-୨୧ ତ୍ରିରଙ୍ଗାର ସମ୍ମାନ ବୃଦ୍ଧି କରିଛି ବୋଲି ସେ କହିଛନ୍ତି। ଏହି ଉତ୍ସବରେ ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ପି ତ୍ୟାଗୀଓ ବିଏସ୍ ଧନୋଆ ଏବଂ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ମିଗ୍-୨୧ ହେଉଛି ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ପ୍ରଥମ ସୁପର୍ସୋନିକ୍ ଯୁଦ୍ଧ ବିମାନ ଏବଂ ଯୁଦ୍ଧ ଶକ୍ତିକୁ ସୁଦୃଢ଼ କରିବା ପାଇଁ ୮୭୦ରୁ ଅଧିକ ବିମାନ କିଣାଯାଇଥିଲା। ସେଗୁଡ଼ିକ ଦଶନ୍ଧି ଧରି ଏହି ବାହିନୀର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥିଲା ଏବଂ ୧୯୬୫ ଓ ୧୯୭୧ରେ ପାକିସ୍ତାନ ସହିତ ଯୁଦ୍ଧ, ୧୯୯୯ କାରଗିଲ ଯୁଦ୍ଧ ଏବଂ ୨୦୧୯ ବାଲାକୋଟ ଏୟାର୍ ଷ୍ଟ୍ରାଇକରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ତଥାପି, ବିମାନ ବର୍ଷ ବର୍ଷ ଧରି ଏକାଧିକ ଦୁର୍ଘଟଣାରେ ଜଡିତ ଥିଲା, ଯାହା ଏହାର ସୁରକ୍ଷା ରେକର୍ଡକୁ ନେଇ ଅନେକ ସମୟରେ ଚିନ୍ତା ସୃଷ୍ଟି କରିଥିଲା। ଏହା ସତ୍ତ୍ୱେ, ମିଗ୍-୨୧ ଭାରତୀୟ ବାୟୁସେନାର ବିଶ୍ୱସ୍ତ ‘ୱାର୍କହର୍ସ’ ଭାବରେ ଇତିହାସରେ ଲିପିବଦ୍ଧ ହୋଇ ରହିଛି।