ଶୁକ୍ରବାରଦିନ ଶେଷ ଥର ପାଇଁ ଉଡ଼ିବ ମିଗ୍‌-୨୭ ବିମାନ, କାର୍ଗିଲ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା

ନୂଆଦିଲ୍ଲୀ : ଆସନ୍ତା ଶୁକ୍ରବାରଦିନ ସେବାନିବୃତ୍ତ ହେବ ଭାରତୀୟ ବାୟୁସେନାର କିମ୍ବଦନ୍ତୀ ଲଢୁଆ ବିମାନ ମିଗ୍‌-୨୭ । ଏହି ଦିନ ରାଜସ୍ଥାନର ଯୋଧପୁରଠାରେ ମିଗ୍‌-୨୭ର ଶେଷ ସ୍କ୍ଵାର୍ଡନ ‘ସ୍କର୍ପିଅନ-୨୯’ରେ ଥିବା ସମସ୍ତ ୭ଟି ମିଗ୍‌-୨୭ ବିମାନ ଶେଷ ଥର ପାଇଁ ଉଡ଼ି ଅବସର ନେବେ । ଏହି ଅବସରରେ ମିଗ ବିମାନ ଉଡ଼ାଉଥିବା ପାଇଲଟ ଓ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ଭାରତର ସାମରିକ ଇତିହାସରେ ମିଗ-୨୭ ବିମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଏହି ଲଢୁଆ ବିମାନଗୁଡ଼ିକ ୧୯୮୧ ମସିହାରେ ବାୟୁସେନାରେ ସାମିଲ ହୋଇଥିଲେ । ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ଏହି ବିମାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏସବୁ ବିମାନରୁ ଇସ୍ରାଏଲ ନିର୍ମିତ ଲେଜର ଗାଇଡେଡ୍‌ ବୋମା ନିକ୍ଷେପ କରି ପାକିସ୍ତାନୀ ବଙ୍କରଗୁଡ଼ିକୁ ଧ୍ୱଂସ କରିଦିଆଯାଇଥିଲା । ଏହା ଫଳରେ ଭାରତର ବିଜୟ ସୁଗମ ହୋଇପାରିଥିଲା ।

୧୯୮୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୮ ବର୍ଷ ଧରି ଭାରତୀୟ ବାୟୁସେନାର ଏକ ମେରୁଦଣ୍ଡଭାବେ କାମ କରୁଥିଲା ଋଷ ଟେକନଲୋଜୀରେ ନିର୍ମିତ ମିଗ୍‌-୨୭ ବିମାନ । ତେବେ ପୁରୁଣା ହୋଇଯାଇଥିବାରୁ ଗତ କିଛି ବର୍ଷ ଧରି ସେଗୁଡ଼ିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିଲା । ଏବେ ବିଶ୍ୱର କୌଣସି ଦେଶ ମିଗ୍‌-୨୭ ବିମାନ ବ୍ୟବହାର କରୁନାହାନ୍ତି । ତିନି ବର୍ଷ ତଳେ ପଶ୍ଚିମ-ବଙ୍ଗର ହାସିମୋରା ଏୟାରବେସରେ ଅବସ୍ଥାପିତ ୨ ସ୍କ୍ଵାର୍ଡନ ମିଗ୍‌-୨୭କୁ ସେବାନିବୃତ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର